ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାଲେଶ୍ୱର ନିକଟ ଦେଇ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବାବେଳେ ଏବେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ଥିବାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
ଅବପାତର ପ୍ରଭାବକୁ ଦୃଷ୍ଟିରେ ରଖି ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଅନୁଗୁଳ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ଜଳବନ୍ଦୀ, ଗଛ ଉପୁଡ଼ିବା ଏବଂ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମୌସୁମୀରେ ରାଜ୍ୟରେ ସ୍ୱାଭାବିକଠାରୁ ୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଏପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା, ୧୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଏବଂ ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏହି ଲଗାଣ ବର୍ଷା ମଧ୍ୟରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଅବପାତର ପ୍ରଭାବ ଆହୁରି ୨୪ ଘଣ୍ଟା ଯାଏଁ ଜାରି ରହିବାର ସମ୍ଭାବନା ଥିବାରୁ ନିମ୍ନାଞ୍ଚଳ, ନଦୀକୂଳ ଓ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
















Leave a Reply