ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା!

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ଥିବା ସ୍ପଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହି ପାଣିପାଗ ପ୍ରଣାଳୀ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଅବପାତଟି ମିଆଁମାରର ମାୱଲାମ୍ୟାଇନଠାରୁ ପ୍ରାୟ ୧୦୦ କିମି ଦକ୍ଷିଣରେ ଏବଂ ୟାଙ୍ଗୁନ୍‌ଠାରୁ ପ୍ରାୟ ୨୦୦ କିମି ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି। ସେହିପରି କୋକୋ ଦ୍ୱୀପଠାରୁ ପ୍ରାୟ ୪୮୦ କିମି ପୂର୍ବ-ଉତ୍ତରପୂର୍ବ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜର ମାୟାବନ୍ଦରଠାରୁ ପ୍ରାୟ ୫୯୦ କିମି ପୂର୍ବ-ଉତ୍ତରପୂର୍ବରେ ରହିଛି।

ପାଣିପାଗ ପୂର୍ବାନୁମାନ ଅନୁସାରେ, ଆଗାମୀ ୧୨ ଘଣ୍ଟା ଏହି ପାଣିପାଗ ପ୍ରଣାଳୀ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାପରେ ଏହି ପ୍ରଣାଳୀ ମିଆଁମାର ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିପାରେ। ତେଣୁ ପାଣିପାଗ ପ୍ରଣାଳୀର ଗତିପଥ ଓ ଶକ୍ତି ବଢ଼ିବା ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial