ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା ହୋଇଥିବା ଘଟଣା । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପୋଲିସ୍ ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନା । କ୍ରାଇମ ସ୍ପଟରେ ପହଞ୍ଚି କରିଛନ୍ତି ତଦନ୍ତ । ଡିଜିପି ଓ ଡିସିପିଙ୍କ ସହ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ୍ ମଧ୍ୟ ତଦନ୍ତ କରିଛି । ସେପଟେ ଆଜି ଘଟଣାସ୍ଥଳକୁ ଆସିବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତେବେ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି । ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି ।
ଏପଟେ ସାମ୍ନାକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପୀଡିତା । ସେ କହିଛନ୍ତି, ରାସ୍ତାରେ ଆମକୁ ଦୁଇ ଯୁବକ ଅସଦାଚରଣ କଲେ । ଗାଡିକୁ ପଛରୁ ଆସି ଧକ୍କା ଦେଲେ, ଆମେ ପଡିଗଲୁ । ରାସ୍ତା ଉପରେ ପଡିଥିବା ବେଳେ ଆମକୁ ମାଡ଼ ମାରିଲେ । ବେକକୁ ଚିପି ଦେବା ସହ ଡ୍ରେସ୍ ଚିରି ଦେଇଥିଲେ । ଆମକୁ ରୁମ୍ କୁ ନେଇଯିବାକୁ ଜଣେ ଯୁବକ କହୁଥିଲା । ଆମେ ପାଟି କରିବାରୁ ସ୍ଥାନୀୟ ଲୋକ ଆସିଥିଲେ । ଆମ ଘର ଲୋକ ନଥିଲେ, ସ୍ଥାନୀୟ ଲୋକଙ୍କ ପାଇଁ ବଞ୍ଚିଗଲୁ । ଏହି ଘଟଣାରେ ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍ । କେହି ହତ୍ୟା କରିନାହାଁନ୍ତି ।
ସୂଚନା ଥାଉକି, ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବା ବେଳେ ବାଲିଅନ୍ତା ଥାନାରେ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣା ନେଇ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।












Leave a Reply