ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇପାରେ ଛାତ୍ରସଂସଦ ନିର୍ବାଚନ; ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ଚିଠି ନେଇ ଚର୍ଚ୍ଚା ।

ଅକ୍ଷର ବ୍ୟୁରୋ: ଚଳିତବର୍ଷ ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇପାରେ ଛାତ୍ରସଂସଦ ନିର୍ବାଚନ । ତେବେ ଗତକାଲି ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ନେଇ ଚିଠି ହୋଇଛି । ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ଚିଠି ଅନୁଯାୟୀ, କୌଣସି ଛାତ୍ରଛାତ୍ରୀ ବିନା ଅନୁମତିରେ କଲେଜରେ ଆନ୍ଦୋଳନକୁ ଓହ୍ଲାଇବେ ନାହିଁ । ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ଅଛି । ଅନ୍ୟପଟେ ଛାତ୍ର ସଂଗଠନ ମାନେ ମଧ୍ୟ କ୍ୟାମ୍ପସରେ ନିଜର ସଂଗଠନ ସଜାଡ଼ିବାରେ ଲାଗିଲାଣି । ଏପରି ଏକ ଚିଠି ଓ ଛାତ୍ରସଂଗଠନ ମାନଙ୍କର ପ୍ରସ୍ତୁତିକୁ ନେଇ ଛାତ୍ର ସଂସଦ ନିର୍ବାଚନ ଆଶା ବାନ୍ଧିଛି ।

ଅବଶ୍ୟ ଗତକାଲି ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ସାଙ୍ଗେ ସିଧାସଳଖ ଛାତ୍ର ସଂସଦ ନିର୍ବାଚନର ସଂପୃକ୍ତି ନାହିଁ । ମାତ୍ର ଏଥିରେ ଆନ୍ଦୋଳନ ପାଇଁ ଅନୁମତି, ଅଣଛାତ୍ର ପ୍ରବେଶ ନିଷେଧ, ରାଜନୈତିକ ସଭାକୁ ବାରଣ ଭଳି କଟକଣା ଏକ ପ୍ରକାର ଇଙ୍ଗିତ କରୁଛି ଯେ ଆଗକୁ ଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଏପରିକି କିଛି ମାସ ହେବ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ଛାତ୍ର ସଂଗଠନ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିଏ କ୍ୟାମ୍ପସ କମିଟି ଗଠନରେ ଲାଗିଛି ତ ଆଉ କିଏ ସଂଗଠନକୁ ମଜବୁତ କରିବାକୁ ପିଲାଙ୍କୁ ଏକାଠି କରୁଛି । ବିଜେଡି ଓ ବିଜେପି ଏଦିଗରେ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡ଼ିଛି । ଗତ ୨୦୨୫ ଜୁଲାଇ ମାସରୁ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ପଦ ଖାଲି ପଡ଼ିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)