ଚିଲିକା ଡଙ୍ଗା ଓ ବୋଟ୍ ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି; ବିନା ଲାଇଫ୍ ଜ୍ୟାକେଟରେ ପର୍ଯ୍ୟଟକଙ୍କ ନୌବିହାର ଉପରେ ରୋକ୍ ।

ଅକ୍ଷର ବ୍ୟୁରୋ: ଚିଲିକା ଜଳଯାତ୍ରା ଓ ନୌକା ବିହାରରେ ବ୍ୟବହୃତ ଡଙ୍ଗା ଓ ବୋଟ୍ ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି । ଚିଲିକାରେ ବିନା ଲାଇଫ୍ ଜ୍ୟାକେଟରେ ପର୍ଯ୍ୟଟକଙ୍କ ନୌବିହାର ଏବଂ ଯାତ୍ରୀ ପରିବହନ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ ବୋଲି ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ ଆଶଙ୍କା କରିଛି । ଏଣୁ ଜିଲ୍ଲା ପ୍ରଶାସନକୁ ବାତ୍ୟା ଭୟ ଘାରିଛି । ତେଣୁ ବାତ୍ୟା ସମୟରେ ଲୋକଙ୍କ ଧନ ଜୀବନ ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱାରୋପ କରିଛି ।

୨୦୦୪ ମସିହା ଆଇନ ଅନୁସାରେ ଚିଲିକାରେ ଚଳାଚଳ କରୁଥିବା ସମସ୍ତ ସରକାରୀ ଓ ଘରୋଇ ଡଙ୍ଗାଗୁଡ଼ିକରେ ପର୍ଯ୍ୟଟକ ଓ ଯାତ୍ରୀ ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା କରିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯଦି କୌଣସି ଡଙ୍ଗା, ବୋଟ୍ ମାଲିକ ପ୍ରଶାସନ ନିର୍ଦ୍ଦେଶାନାମାକୁ ଉଲ୍ଲଙ୍ଘନ କରେ ତାହାହେଲେ ସଂପୃକ୍ତ ଡଙ୍ଗା ମାଲିକ ଓ ଚାଳକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଚେତାବନୀ ଦେଇଛି । ସେହିପରି ଘରୋଇ ଡଙ୍ଗା ଓ ନୌକାର ପରମିଟ୍, ଫିଟ୍ନେସ୍ ଯାଞ୍ଚ କରିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଛି । ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏ ସମ୍ପର୍କରେ ଜିଲ୍ଲାପାଳ ଚିଲିକା ତଟବର୍ତ୍ତୀ କାଳିଜାଇ ବୋଟ୍ ମାଲିକ ସଂଘ,ବଡ଼କୂଳ, ମା’ କାଳିଜାଇ ଶ୍ରମିକ ସଂଗଠନକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ଇସ୍ତାହାର ଜରିଆରେ ଅବଗତ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)