ସାମାଜିକ ସୁରକ୍ଷା ବିଭାଗର ନୂଆ ସଚିବ ଡ଼ା. ବୃନ୍ଦା ଡି: ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ଫୋକସ୍‌

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନୂଆ କମିଶନର-ତଥା-ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ଼ା. ବୃନ୍ଦା ଡି। ଦାୟିତ୍ୱ ଗ୍ରହଣ ପରେ ବିଭାଗର କାର୍ଯ୍ୟକ୍ରମ ଓ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସହ ହିତାଧିକାରୀଙ୍କ ପାଖରେ ସୁଫଳ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଭିନ୍ନକ୍ଷମ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା, ମର୍ଯ୍ୟାଦା, ଅନ୍ତର୍ଭୁକ୍ତିକରଣ ଓ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ନିରନ୍ତର ସହଯୋଗ ଏବଂ ସାମୂହିକ ସମର୍ଥନ କାମନା କରିଛନ୍ତି ଡ଼ା. ବୃନ୍ଦା ଡି। ଦାୟିତ୍ୱ ଗ୍ରହଣ ପରେ ଡ଼ା. ବୃନ୍ଦା ଡିଙ୍କୁ SSEPD ବିଭାଗର ସ୍ୱତନ୍ତ୍ର ସଚିବ ସୁଶ୍ରୀ ରଜନୀ ଜାନି, ଆର୍ଥିକ ପରାମର୍ଶଦାତା-ତଥା-ସ୍ୱତନ୍ତ୍ର ଶାସନ ସଚିବ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ସଚିବ ଶ୍ରୀ ଦୀପକ ରାଉତରାୟ, ଶ୍ରୀମତୀ ସୋନିଆ ବେହେରା ଓ ଶ୍ରୀ ଭାସ୍କର ରଇତଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ।

ଏହାପରେ କମିଶନର-ତଥା-ଶାସନ ସଚିବ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିଭାଗର କାର୍ଯ୍ୟାଦେଶ, ପ୍ରମୁଖ କଲ୍ୟାଣକାରୀ ପଦକ୍ଷେପ, ଚାଲୁଥିବା କାର୍ଯ୍ୟକ୍ରମ ଏବଂ ସାଂଗଠନିକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ନେଇଥିଲେ। ଭିନ୍ନକ୍ଷମ ବ୍ୟକ୍ତି, ବରିଷ୍ଠ ନାଗରିକ, କିନ୍ନର ଏବଂ ସମାଜର ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କ ପାଇଁ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ହସ୍ତକ୍ଷେପ ଓ କାର୍ଯ୍ୟକ୍ରମର ପ୍ରମୁଖ କ୍ଷେତ୍ର ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ। ଆଲୋଚନା ସମୟରେ ଡ଼ା. ବୃନ୍ଦା ଡି କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକର ଦକ୍ଷ, ସ୍ୱଚ୍ଛ ଓ ସମୟସୀମା ମଧ୍ୟରେ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉପରେ ଜୋର ଦେଇଥିଲେ।

ସମସ୍ତ ସ୍ତରରେ ଅଧିକ ସାଂଗଠନିକ ସମନ୍ୱୟ ଏବଂ ସୁଗମ ପ୍ରଶାସନିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ଥିବା ସେ କହିଥିଲେ। ସାମାଜିକ ସୁରକ୍ଷା ଯୋଜନାର ସୁଫଳ ଯେପରି ପ୍ରଭାବଶାଳୀ ଢଙ୍ଗରେ ଉଦ୍ଦିଷ୍ଟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେନେଇ ବିଶେଷ ଧ୍ୟାନ ଦେବାକୁ ସେ ଆହ୍ୱାନ କରିଥିଲେ। ବିଭାଗର ସମସ୍ତ ଅଧିକାରୀ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବା ସହ ପ୍ରଯୁକ୍ତିବିଦ୍ୟା, ତଥ୍ୟ-ଚାଳିତ ମନିଟରିଂ ଏବଂ ପ୍ରଭାବଶାଳୀ କ୍ଷେତ୍ରସ୍ତରୀୟ ସମନ୍ୱୟକୁ ଅଧିକ ଉପଯୋଗ କରିବା ଉପରେ ଡ଼ା. ବୃନ୍ଦା ଡି ଗୁରୁତ୍ୱାରୋପ କରିଛନ୍ତି। ବିଭାଗର କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଚାରୁ କାର୍ଯ୍ୟାନ୍ୱୟନ ସହ ସମାଜର ଦୁର୍ବଳ ବର୍ଗଙ୍କ ପାଖରେ ସରକାରୀ ସହାୟତା ପ୍ରଭାବଶାଳୀ ଭାବେ ପହଞ୍ଚାଇବା ଉପରେ ଆଗାମୀ ଦିନରେ ବିଭାଗର ଫୋକସ୍ ରହିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial