ବିଧାନସଭା ସୁରକ୍ଷା ବଳୟ ଭେଦିଲା ମଦ୍ୟପ ଚାଳକଙ୍କ କାର୍; ବ୍ୟାରିକେଡ୍ ଚୂରମାର, ହାଇ ସିକ୍ୟୁରିଟି ଜୋନ୍‌ରେ ହାଇଡ୍ରାମା

ଅକ୍ଷର ବ୍ୟୁରୋ: ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍‌ରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବିଧାନସଭା ପରି ଅତି ସମ୍ବେଦନଶୀଳ ଅଞ୍ଚଳର ସୁରକ୍ଷା ବଳୟ ଭେଦି ଏକ କାର୍ ସିଧାସଳଖ ବିଧାନସଭା ମୁଖ୍ୟ ପ୍ରବେଶପଥ ନିକଟରେ ଥିବା ବ୍ୟାରିକେଡ୍‌ରେ ଧକ୍କା ଦେଇଛି। ଧକ୍କା ଏତେ ଜୋରଦାର ଥିଲା ଯେ ସୁରକ୍ଷା ପାଇଁ ଲଗାଯାଇଥିବା ବ୍ୟାରିକେଡ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଏହି ଘଟଣା ପରେ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ଘଟଣାର ଖବର ମିଳିବାମାତ୍ରେ ସ୍ଥାନୀୟ ପୋଲିସ ସହ ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍ (STG)ର କମାଣ୍ଡୋ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ବଳୟ ମଧ୍ୟରେ ରଖି କାର୍‌କୁ ଘେରି କଡ଼ା ତନାଘନା ଏବଂ ଯାଞ୍ଚ କରାଯାଇଥିଲା। କିଛି ସମୟ ପାଇଁ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିଲା। ପୋଲିସ କାର୍‌ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ ଦୁହେଁ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଛି। ମଦ୍ୟପ ଅବସ୍ଥାରେ ନିୟନ୍ତ୍ରଣ ହରାଇବାରୁ କାର୍‌ଟି ବ୍ୟାରିକେଡ୍‌ରେ ପିଟି ହୋଇଥିବା ସନ୍ଦେହ କରାଯାଉଛି।

ତେବେ, ବିଧାନସଭା ଭଳି ଏକ ଅତି ସମ୍ବେଦନଶୀଳ ଓ ସୁରକ୍ଷିତ ଅଞ୍ଚଳରେ କିପରି ଏକ ଗାଡ଼ି ସୁରକ୍ଷା ବଳୟ ଭେଦି ପହଞ୍ଚିଲା, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ରହିଥିଲା କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)