ଛେଣ୍ଡିପଦାରେ ଭୂମିକମ୍ପ ଝଟକା, ୫ ସେକେଣ୍ଡ ଧରି ଥରିଲା ଅଞ୍ଚଳ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରାତି ପ୍ରାୟ ୧୦ଟା ୪୭ ମିନିଟ୍ ସମୟରେ ପ୍ରାୟ ୫ ସେକେଣ୍ଡ ଧରି ଲୋକେ କମ୍ପନ ଅନୁଭବ କରିଥିଲେ। ହଠାତ୍ ଘରଦ୍ୱାର ଓ ଅନ୍ୟାନ୍ୟ ସ୍ଥାନରେ କମ୍ପନ ଅନୁଭୂତ ହେବାରୁ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS)ର ରିପୋର୍ଟ ଅନୁସାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ଭୂଗର୍ଭର ପ୍ରାୟ ୨୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବ୍ଲକ ସୀମାନ୍ତ ଚଢେଇମରା ଜଙ୍ଗଲ ଅଞ୍ଚଳ ବୋଲି ଜଣାପଡ଼ିଛି।

ଏହି ଭୂମିକମ୍ପର ପ୍ରଭାବ ଚଢେଇମରା ଗ୍ରାମ ନିକଟବର୍ତ୍ତୀ ଦେବଗଡ଼ ଜିଲ୍ଲାର ଚଢେଇମରା, ଆଉଁଳି, ପାଟକମୁଣ୍ଡା, ଟାଙ୍ଗିରି, ରାଇପାଳ ସମେତ ଛେଣ୍ଡିପଦା, ଖାମର, କୋଶଳା, ବାଗଡ଼ିଆ, ପାତ୍ରପଡ଼ା ଆଦି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି। ଭୂମିକମ୍ପର ଝଟକା ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉପରେ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial