ଘର ଟିଣ ଛପର ଉପରେ ପଡ଼ିଲା ବିଦ୍ୟୁତ ଖୁଣ୍ଟ, ୧୧ କେଭି ତାର ଲାଗି ଯୁବକ ଗୁରୁତର

ଖଲ୍ଲିକୋଟ: ଘରର ଟିଣ ଛପର ଉପରେ ଚଢ଼ିଥିବା ବେଳେ ଘଟିଲା ଅଘଟଣ। ହଠାତ୍‌ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ତଳକୁ ଖସିପଡ଼ିଲା ୧୧ କେଭି ବିଦ୍ୟୁତ ତାର। ଏହି ସମୟରେ ତାର ସଂସ୍ପର୍ଶରେ ଆସି ପଥରା ଗାଁର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହେଲେ ପ୍ରଶାନ୍ତ ଜାଲି। ସୂଚନା ଅନୁସାରେ, ପ୍ରଶାନ୍ତ ନିଜ ଘରର ଟିଣ ଛପର ଉପରେ ଚଢ଼ିଥିବା ସମୟରେ ହଠାତ୍‌ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିଲା। ଖୁଣ୍ଟଟି ପଡ଼ିବା ସହ ସେଥିରେ ଥିବା ୧୧ କେଭି ବିଦ୍ୟୁତ ତାର ମଧ୍ୟ ତଳକୁ ଖସିପଡ଼ିଥିଲା। ଫଳରେ ପ୍ରଶାନ୍ତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟଙ୍କ କହିବା ଅନୁସାରେ, ପଥରା ଗାଁରେ ଏହି ବିଦ୍ୟୁତ ଖୁଣ୍ଟଟି ଦୀର୍ଘଦିନ ଧରି ଅସୁରକ୍ଷିତ ଅବସ୍ଥାରେ ରହିଥିଲା। ଖୁଣ୍ଟଟି ଦୁର୍ବଳ ହୋଇପଡ଼ିଥିବା ନେଇ ପୂର୍ବରୁ ମଧ୍ୟ ଆଶଙ୍କା ରହିଥିଲା ବୋଲି ସ୍ଥାନୀୟମାନେ କହିଛନ୍ତି। ତେବେ ଆଜି ହଠାତ୍‌ ଖୁଣ୍ଟଟି ଭାଙ୍ଗି ପଡ଼ିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ଗୁରୁତର ଅବସ୍ଥାରେ ପ୍ରଶାନ୍ତ ଜାଲିଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଦୀର୍ଘଦିନ ଧରି ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟକୁ ନେଇ ପୂର୍ବରୁ ଆଶଙ୍କା ଥିବା ସତ୍ତ୍ୱେ କାହିଁକି ପଦକ୍ଷେପ ନିଆଯାଇନଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial