କୁଚିଣ୍ଡା: କୁଚିଣ୍ଡା ସହରରେ ହାତୀ ଆତଙ୍କ। ସହର ଭିତରକୁ ପଶିଆସିଛନ୍ତି ୬ଟିକିଆ ହାତୀପଲ। ହାତୀପଲକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ, କୁଚିଣ୍ଡା କଲେଜ ପଡ଼ିଆ ନିକଟରେ ଥିବା ଏକ କାଜୁ ବଗିଚାରେ ଏବେ ହାତୀପଲ ରହିଛନ୍ତି। ଆଜି ସକାଳୁ ଏଲ୍ଆଇସି ବିଲ୍ଡିଂ ନିକଟରେ ହାତୀପଲ ରାସ୍ତା ପାର ହେଉଥିବା କିଛି ଲୋକ ଦେଖିଥିଲେ। ଏହାପରେ ଖବର ଦ୍ରୁତଗତିରେ ସହରରେ ପ୍ରଚାର ହୋଇଥିଲା। ଗତ କିଛିଦିନ ଧରି ହାତୀପଲ କୁସୁମୀ ଅଞ୍ଚଳରେ ରହୁଥିବା ବେଳେ ଆଜି ସହର ମଧ୍ୟକୁ ପଶିଆସିଥିବା ଜଣାପଡ଼ିଛି।
ହାତୀପଲ ସହର ଭିତରକୁ ପଶିବା ଖବର ପାଇ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ହାତୀପଲକୁ ସହର ଅଞ୍ଚଳରୁ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ହାତୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି। ସହରରେ ଯେପରି କୌଣସି ଧନଜୀବନ ହାନି ନଘଟେ, ସେଥିପାଇଁ ବନ ବିଭାଗ ସଜାଗ ରହିଛି। ଅନ୍ୟପଟେ, ହାତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିଭାଗ ପକ୍ଷରୁ ସହରରେ ବିଦ୍ୟୁତ୍ କାଟ କରାଯାଇଥିବା ଜଣାପଡ଼ିଛି। ଏବେ ସମସ୍ତଙ୍କ ନଜର ହାତୀପଲର ଗତିବିଧି ଉପରେ। ସହର ଭିତରୁ ହାତୀପଲକୁ କେବେ ଏବଂ କିପରି ସୁରକ୍ଷିତ ଭାବେ ଘଉଡ଼ାଇବାରେ ବନ ବିଭାଗ ସଫଳ ହେଉଛି, ତାହା ଉପରେ ନଜର ରହିଛି।














Leave a Reply