ଦୁଇ ଜିଲ୍ଲାରେ ହାତୀ ଆତଙ୍କ, ନଦୀକୂଳରୁ ଜନବସତି ଯାଏଁ ଭୟ!

ଅକ୍ଷର ବ୍ୟୁରୋ: ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆତଙ୍କ। ଗୋଟିଏ ପଟେ ବଲାଙ୍ଗୀରରେ ତେଲ ନଦୀ କୂଳରେ ହାତୀପଲଙ୍କ ଉପସ୍ଥିତିକୁ ନେଇ ଭୟଭୀତ ଗ୍ରାମବାସୀ, ଅନ୍ୟପଟେ ବାଙ୍କୀରେ ଜନବସତି ଭିତରକୁ ପଶି ଦୁଇ ହାତୀଙ୍କ ଉପଦ୍ରବ। ଉଭୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବଢ଼ିଛି ହାତୀ ଭୟ। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ୍‌ ଘୁନସର ଗାଁ ନିକଟ ତେଲ ନଦୀ କୂଳରେ ଆଜି ସକାଳୁ ହାତୀପଲ ଦେଖିବାକୁ ମିଳିଥିଲା। ଗାଁର କିଛି ଲୋକ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ବେଳେ ହଠାତ୍ ହାତୀପଲକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ସେମାନେ ଅନ୍ୟ ଗ୍ରାମବାସୀଙ୍କୁ ସତର୍କ କରିବା ସହ ବନ ବିଭାଗକୁ ଖବର ଦେଇଥିଲେ। ହାତୀପଲ କେଉଁ ଅଞ୍ଚଳରୁ ଆସିଛନ୍ତି ଏବଂ କେଉଁ ଦିଗକୁ ଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ସେପଟେ ବାଙ୍କୀ ଗୟଳବାଙ୍କ ଅଞ୍ଚଳରେ ଦୁଇଟି ହାତୀଙ୍କ ଉପଦ୍ରବ ଚିନ୍ତା ବଢ଼ାଇଛି। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଦୁଇ ହାତୀ ବାହାରି ଜାରିଆ ସାହିରେ ପଶିଥିଲେ। ପରେ ନିକଟସ୍ଥ ଏକ ଫାର୍ମହାଉସ୍‌ରେ ପଶି ମୁଖ୍ୟ ଫାଟକ ଭାଙ୍ଗିବା ସହ ପରିସରରେ ଥିବା ମୂଲ୍ୟବାନ ଗଛ ନଷ୍ଟ କରିଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ କହିଛି। ବାଙ୍କୀ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ନିୟମ ଅନୁସାରେ କ୍ଷତିପୂରଣ ଦେବା ସହ ହାତୀଙ୍କୁ ଶୀଘ୍ର ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀଙ୍କ ଗତିବିଧି ଯୋଗୁଁ ଦୁଇ ଅଞ୍ଚଳରେ ଚିନ୍ତା ବଢ଼ିଥିବା ବେଳେ, ବନ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial