ସିମୁଳିଆରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂଙ୍କ ଗୋଡ଼ରେ ଗୁଳି

ବାଲେଶ୍ୱର: ବାଲେଶ୍ୱର ସିମୁଳିଆରେ ପୁଲିସର ଏନକାଉଣ୍ଟର । ପୁଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂ । ରାଣୀତାଲ-କୁପାରୀ ରାସ୍ତାର ଅଡାସୋଲା ଛକ ନିକଟରେ ଏହି ଏନକାଉଣ୍ଟର ହୋଇଥିବା ନେଇ ବାଲେଶ୍ୱର ଏସ୍‌ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଲୋକେଶ ସିମୁଳିଆ ଅଞ୍ଚଳରେ ଆତ୍ମଗୋପନ କରିଥିବା ନେଇ ପୁଲିସକୁ ଖବର ମିଳିଥିଲା । ଏହାପରେ ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା । ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେଶଙ୍କ ସହ ପୁଲିସର ମୁହାଁମୁହିଁ ହୋଇଥିଲା । ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିବା ବେଳେ ଲୋକେଶ ମଧ୍ୟ ପାଲଟା ଗୁଳି ଚଳାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏହି ସମୟରେ ପୁଲିସ ଗୁଳି ଲୋକେଶଙ୍କ ବାମ ଗୋଡ଼ରେ ବାଜିଥିଲା । ଆହତ ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁଲିସର ସୂଚନା ଅନୁସାରେ, ଲୋକେଶ ସିଂଙ୍କ ନାଁରେ ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି । ତାଙ୍କୁ ଧରିବା ପାଇଁ ପୁଲିସ ପୂର୍ବରୁ ତଦନ୍ତ ଜାରି ରଖିଥିଲା । ତେବେ ଏନକାଉଣ୍ଟର ସମୟରେ ଘଟଣାସ୍ଥଳରୁ ଆଉ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଘଟଣା ପରେ ଅଡାସୋଲା ଛକ ନିକଟରେ ପୁଲିସ ମୁତୟନ କରାଯାଇଛି । ଏନକାଉଣ୍ଟରର ପରିସ୍ଥିତି ଓ ଘଟଣାର ସମ୍ପୂର୍ଣ୍ଣ କ୍ରମ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial