ଅକ୍ଷର ବ୍ୟୁରୋ: ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରେ ଉଚ୍ଚଶିକ୍ଷା ପାଇଁ ଆଡମିଶନ୍ କରିସାରିଥିବା ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ ଫି ଫେରସ୍ତ ମିଳିବ। ରାଜ୍ୟ କ୍ୟାବିନେଟ୍ରେ ଗତକାଲି ଅନୁମୋଦନ ପାଇଥିବା ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧ ଯୋଜନା ଅଧୀନରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ସୂଚନା ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ ବିଭିନ୍ନ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଭର୍ତ୍ତି ହୋଇ ଆଡମିଶନ୍ ଫି ଜମା କରିଛନ୍ତି, ସେମାନଙ୍କୁ ସେହି ଟଙ୍କା ଫେରାଇ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ ଫି ଫେରସ୍ତ କରିବାର ଦାୟିତ୍ୱ ସମ୍ପୃକ୍ତ କଲେଜମାନଙ୍କ ଉପରେ ରହିବ। ଏହାସହ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ ଏକ ବଡ଼ ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର। କୌଣସି କଲେଜ ଆଉ ମନଇଚ୍ଛା ଆଡମିଶନ୍ ଫି ବୃଦ୍ଧି କରିପାରିବେ ନାହିଁ। ଫି ସଂରଚନା ସମ୍ପର୍କରେ ପୂର୍ବରୁ କଲେଜମାନେ ସରକାରଙ୍କୁ ସମସ୍ତ ସୂଚନା ଦେଇସାରିଥିବା ବେଳେ, ସରକାରୀ ନିୟମ ଅନୁଯାୟୀ ହିଁ ଫି ନିର୍ଦ୍ଧାରଣ କରାଯିବ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି ଯେ, ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧ ଯୋଜନା ୨୦୨୬-୨୭ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ। ଏହି ବ୍ୟବସ୍ଥା କେବଳ ଉଚ୍ଚଶିକ୍ଷାରେ ସୀମିତ ରହିବ ନାହିଁ, ବରଂ ପର୍ଯ୍ୟାୟକ୍ରମେ ଗଣଶିକ୍ଷା ବିଭାଗରେ ମଧ୍ୟ ପ୍ରଚଳନ କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆର୍ଥିକ ବୋଝ ହ୍ରାସ ପାଇବା ସହ ଉଚ୍ଚଶିକ୍ଷାକୁ ଅଧିକ ସୁଲଭ ଓ ସମାବେଶୀ କରିବାରେ ବଡ଼ ସହାୟକ ହେବ ବୋଲି ଆଶା କରାଯାଉଛି।














Leave a Reply