ଅକ୍ଷର ବ୍ୟୁରୋ: ବିକ୍ରି ହେଉଛି ନକଲି ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ । ଏଥିପାଇଁ ଅଫିସ୍ ଖୋଲି ବିଜ୍ଞାପନ ଦେଇ ଆଶାୟୀଙ୍କୁ ମିଠା ମିଠା କଥା କହି ଫସାଉଥିଲେ ଅଭିଯୁକ୍ତ । ଏବଂ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ହେଲେ ସାର୍ଟିଫିକେଟ୍ କଥା କହିଲେ ଭୂଆଁ ବୁଲାଉଥିଲେ । କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ସ୍କାମ୍ ହୋଇଥିବା ବେଳେ ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ବୁର୍ଲା ଥାନା ଅର୍ନ୍ତଗତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଖରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ ଜଣେ ମହିଳା ଶୁକ୍ରବାର ଗିରଫ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି । ଚିତ୍ତରଞ୍ଜନ ଏବଂ ରୀମା ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ ସାର୍ଟିଫିକେଟ କରାଇ ଦେବାକୁ କହି ବୁର୍ଲାଠାରେ ‘ୱାନ ୱାର୍ଲଡ ଏକାଡେମୀ’ ନାଁରେ ସଂସ୍ଥାଟିଏ ଖୋଲିଥିଲେ ।
ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଏବଂ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ବିଏଡ୍ ସାର୍ଟିଫିକେଟ ପାଇବା ଆଶାରେ ଲକ୍ଷାଧିକ ଟଙ୍କା ମଧ୍ୟ ଦେଉଥିଲେ । ହେଲେ ସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକଳାପକୁ ନେଇ କିଛି ପିଲାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ଗତ ୨୩ ତାରିଖ ଝାରସୁଗୁଡ଼ା ସାଇବର ଥାନାରେ ପ୍ରୀତିରାଣୀ ପଣ୍ଡା ନାମକ ଜଣେ ଛାତ୍ରୀ ସାଇବର ଥାନାରେ ଏତଲା ଦେଇଥିଲେ । ଏହାକୁ ଗମ୍ଭୀରତାର ସହ ନେଇଥିଲେ ଏସ୍ପି । ଏସ୍ପିଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ସାଇବର ଥାନା ଇନ୍ସପେକ୍ଟର ଦେବଦତ୍ତ ବସ୍ତିଆଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନାର ୩ ଜଣ, ଓରିଏଣ୍ଟ, ଲଖନପୁର, ବେଲପାହାଡ଼ ଏବଂ ବ୍ରଜରାଜନଗର ଥାନାଞ୍ଚଳର ଜଣେ ଲେଖାଏଁ ପ୍ରାର୍ଥୀ ଏଭଳି ଠକେଇର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।












Leave a Reply