ଅକ୍ଷର ବ୍ୟୁରୋ: ପୁଣି ଇସ୍କନର ମନମାନି । ବିଦେଶରେ ଏକାଧିକ ସ୍ଥାନରେ ଅଦିନିଆ ରଥଯାତ୍ରା । ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ତିଳେ ହେଲେ ଖାତିର୍ କରୁନି । ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ କରିଥିଲା । ଟେକ୍ସାସ୍ ଓ ବ୍ରିସବେନ୍ରେ ମଧ୍ୟ ରଥଯାତ୍ରା କରିଛି । ଶୋଭାଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ଏକ କଳାକୃତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି । ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁଙ୍କର ପାପୁଲି ବା ଆଙ୍ଗୁଠି ନାହିଁ । ସେ ତ ଅଧା ଗଢା ଠାକୁର । ମାତ୍ର ଇସ୍କନ ବିଦେଶରେ ଜଗନ୍ନାଥଙ୍କ ଭିନ୍ନ ଚିତ୍ର ପ୍ରଦର୍ଶନ କରୁଛି । ଯାହାକି ଶାସ୍ତ୍ର ବିରୋଧୀ । ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି । ତେବେ ଏନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
ନିକଟରେ ଇସ୍କନକୁ ଚରମବାଣୀ ଶୁଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ । ହେଲେ ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ମାନୁନି କି ତିଳେ ହେଲେ ଖାତିର୍ କରୁନି । ୨୦୨୬ ମସିହାରେ ଇସ୍କନ ବିଶ୍ୱର ୮୦ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ସ୍ନାନଯାତ୍ରାର ଆୟୋଜନ ପାଇଁ ତାରିଖ ସ୍ଥିର କରିଛି ।












Leave a Reply