ଢେଙ୍କାନାଳ: ଧାନ ବିଲରେ ଚାଷ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ପରଜଙ୍ଗ ବ୍ଲକ କେନ୍ଦୁପଶି ଗାଁରେ ମଙ୍ଗଳବାର ସକାଳେ ଘଟିଥିବା ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ହେଲେ କେନ୍ଦୁପଶି ଗାଁର ବୁଲୁ ମହାରଣା (୬୦)।
ମିଳିଥିବା ସୂଚନା ଅନୁଯାୟୀ, ବୁଲୁ ମଙ୍ଗଳବାର ସକାଳୁ ନିଜ ଧାନ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ କରୁଥିବା ସମୟରେ ହଠାତ୍ ଏକ ହାତୀ ତାଙ୍କ ନିକଟକୁ ଆସି ଆକ୍ରମଣ କରିଥିଲା। ଏଥିରେ ବୁଲୁ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଥିଲା। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ, କେନ୍ଦୁପଶି ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ହାତୀଙ୍କ ଚଳପ୍ରଚଳ ଓ ଉପଦ୍ରବକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗିରହିଛି। ବିଶେଷ କରି ଧାନ ବିଲକୁ ଯିବା ବେଳେ ହାତୀପଲ ସହ ମୁହାଁମୁହିଁ ହେବାର ଆଶଙ୍କା ରହୁଥିବା କହିଛନ୍ତି ସ୍ଥାନୀୟ ଲୋକେ। ହାତୀଙ୍କ ଚଳପ୍ରଚଳ ନେଇ ବନ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ସତର୍କତା ଓ ନିରାପତ୍ତାମୂଳକ ପଦକ୍ଷେପ ନିଆଯାଉନଥିବାରୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ହାତୀ-ମଣିଷ ସଂଘାତ ରୋକିବା ସହ ଚାଷୀଙ୍କ ଜୀବନ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବାକୁ ଦାବି ହୋଇଛି। ବୁଲୁ ମହାରଣାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ପରିବେଶ ସୃଷ୍ଟି ହୋଇଥିବା ବେଳେ ଘଟଣାକୁ ନେଇ ଗାଁରେ ମଧ୍ୟ ଚିନ୍ତା ବଢ଼ିଛି।














Leave a Reply