ଲଘୁଚାପ ବର୍ଷା ପରେ ଚାଷୀଙ୍କ ମୁହଁରେ ହସ: ଅସ୍ତରଙ୍ଗ-କାକଟପୁରରେ ଆରମ୍ଭ ହେଲା ଖରିଫ ଚାଷ

ଅକ୍ଷର ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଏବେ ଖରିଫ ଚାଷରେ ଜୋର ଧରିଛି। ଗତ ଦୁଇ ଦିନରେ ପ୍ରାୟ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବର୍ତ୍ତମାନ ବର୍ଷା ଥମିଯାଇଛି ଏବଂ ଆକାଶ ମଧ୍ୟ ସଫା ରହିଛି। ଏହି ପାଗ ଖରିଫ ଧାନ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ଥିବାରୁ ଚାଷୀମାନେ ପୁଣିଥରେ ଚାଷ କାମରେ ବ୍ୟସ୍ତ ହୋଇପଡ଼ିଛନ୍ତି।

ବର୍ଷା ପରେ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ଥିବାରୁ ଚାଷୀମାନେ ହଳ କରିବା ସହ ମଇ ଦେଇ ଜମି ପ୍ରସ୍ତୁତ କରୁଛନ୍ତି। ଏହାସହ ବିହନକୁ ଗଜା କରି ତଳି ପକାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ତଳି ବଡ଼ ହେବା ପରେ ଧାନ ରୁଆ-ରୋପଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଚାଷୀମାନେ ଆଶାବାଦୀ ଅଛନ୍ତି। ତେବେ ଲଗାଣ ବର୍ଷା ଯୋଗୁଁ ଅସ୍ତରଙ୍ଗ ଓ କାକଟପୁର ବ୍ଲକର ଅନେକ ଖାଲୁଆ ଜମିରେ ଏବେ ମଧ୍ୟ ପ୍ରାୟ ୩ ଫୁଟ ଉଚ୍ଚତାର ପାଣି ଜମି ରହିଛି। ଏହି ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହେବାକୁ ପ୍ରାୟ ୧୦ ଦିନ ସମୟ ଲାଗିପାରେ ବୋଲି ସ୍ଥାନୀୟ ଚାଷୀମାନେ କହୁଛନ୍ତି।

ଚାଷୀଙ୍କ ଆକଳନ ଅନୁଯାୟୀ, ସେହି ସମୟ ମଧ୍ୟରେ ତଳି ଭଲ ଭାବେ ବଢ଼ିଯିବ ଏବଂ ପାଣି କମିବା ପରେ ଧାନ ରୁଆ କାମ ସୁବିଧାରେ ଆରମ୍ଭ କରାଯାଇପାରିବ। ତେଣୁ ଏଥର ଲଘୁଚାପ ଜନିତ ବର୍ଷା ଆରମ୍ଭରେ କିଛି ଅସୁବିଧା ସୃଷ୍ଟି କରିଥିଲେ ମଧ୍ୟ ଖରିଫ ଚାଷ ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଇ ଦେଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)