ନବରଙ୍ଗପୁର: ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣା ଜଣେ ଫରେଷ୍ଟରଙ୍କ ପାଇଁ ମହଙ୍ଗା ପଡ଼ିଛି। ବିନା ଅନୁମତିରେ ୨୦ଟି ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ରେଞ୍ଜ ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ବନ ବିଭାଗ ନିଲମ୍ବିତ କରିଛି। ଡିଏଫଓ ଉଦୟନ ସୁବୁଦ୍ଧି ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।
ନିଲମ୍ବନ ପରେ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ନିର୍ଦ୍ଦେଶ ଅନୁସାରେ, ବିନା ଅନୁମତିରେ ସେ ଜିଲ୍ଲା ସଦର ମହକୁମା ଛାଡ଼ି ଯାଇପାରିବେ ନାହିଁ। ସୂଚନା ଅନୁସାରେ, ଝରିଗାଁ ରେଞ୍ଜ ଅଞ୍ଚଳର ଦେଓବନ୍ଧଠାରୁ ଜାମାପଦର ରାସ୍ତା ପାର୍ଶ୍ୱରେ ପ୍ରଶସ୍ତୀକରଣ କାମ ଚାଲିଥିବା ବେଳେ ଫରେଷ୍ଟର ବିପିନ ହରିଜନ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ୨୦ଟି ନୀଳଗିରି ଗଛ କାଟିଥିବା ଅଭିଯୋଗ ହୋଇଥିଲା। କଟାଯାଇଥିବା ଗଛଗୁଡ଼ିକୁ ସେ ବେପାରୀଙ୍କ ହାତକୁ ଟେକି ଦେଇଥିବା ମଧ୍ୟ ଅଭିଯୋଗ ରହିଛି।
ତଦନ୍ତ ସମୟରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନାଁରେ ଫରେଷ୍ଟର ଟଙ୍କା ଆଦାୟ କରିଥିବା ଜଣାପଡ଼ିଥିଲା। ଏହାସହ ସଂପୃକ୍ତ ଅଞ୍ଚଳରେ ରାସ୍ତା ପ୍ରଶସ୍ତୀକରଣ ପାଇଁ କୌଣସି ବିଭାଗ ପକ୍ଷରୁ ବନ ବିଭାଗକୁ ଅନୁମତି ମଗାଯାଇନଥିବା ମଧ୍ୟ ତଦନ୍ତରୁ ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁସାରେ, ଲୋକେ ଲଗାଇଥିବା ୨୦ଟି ନୀଳଗିରି ଗଛକୁ ଫରେଷ୍ଟର ନିଜ ଇଚ୍ଛାରେ କାଟି ଦେଇଥିଲେ। ଘଟଣା ସମ୍ପର୍କରେ ଅଭିଯୋଗ ପରେ ଡିଏଫଓ ଉଦୟନ ସୁବୁଦ୍ଧି ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଇଥିଲେ। ତଦନ୍ତ ପରେ ଫରେଷ୍ଟରଙ୍କୁ ସନ୍ତୋଷଜନକ ଉତ୍ତର ଦେବାକୁ କୁହାଯାଇଥିଲେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଶେଷରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବନ ଆଦେଶ ଜାରି ହୋଇଛି।














Leave a Reply