ପୁରୀ: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ଭସାପୋଲ ଓ ଡଙ୍ଗା ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଚିଲିକା ହ୍ରଦର ସାତପଡ଼ା-ଜହ୍ନିକୁଦା ମାର୍ଗରେ ଆଜିଠାରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ନୌସେବା ବନ୍ଦ ରହିବ। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷା ସମୟରେ ଚିଲିକା ହ୍ରଦର ଜଳରାଶି ଅଶାନ୍ତ ହେବା ସହ ଉଚ୍ଚ ଢେଉ ଏବଂ ପବନର ବେଗ ବଢ଼ିବାର ଆଶଙ୍କା ରହିଥାଏ। ଏଭଳି ପାଣିପାଗରେ ନୌଯାତ୍ରା ବିପଦପୂର୍ଣ୍ଣ ହୋଇପାରୁଥିବାରୁ ଯାତ୍ରୀ ଓ ନୌଚାଳକଙ୍କ ସୁରକ୍ଷାକୁ ନଜରରେ ରଖି ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ଚାଲୁଥିବା ଭସାପୋଲ ସେବା ସମେତ ଅନ୍ୟ ଡଙ୍ଗା ଚଳାଚଳକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଛି।
ଏହି କଟକଣା ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସମସ୍ତ ନୌଚାଳକଙ୍କୁ ନିଜ ନିଜ ଜଳଯାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଚିଲିକାର ପାଣିପାଗ ସ୍ଥିତି ସୁଧୁରିବା ସହ ଯାତ୍ରୀଙ୍କ ଯାତାୟାତ ପାଇଁ ପରିସ୍ଥିତି ଅନୁକୂଳ ହେବା ପରେ ନୌସେବା ପୁଣି ଆରମ୍ଭ ହେବ। ତେବେ ନୌଚଳାଚଳ ବନ୍ଦ ହେବା ଯୋଗୁଁ ସାତପଡ଼ା-ଜହ୍ନିକୁଦା ମାର୍ଗରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କୁ ସାମୟିକ ଭାବେ ଅସୁବିଧା ଭୋଗିବାକୁ ପଡ଼ିବ। ଅନ୍ୟପଟେ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ପାଣିପାଗ ପ୍ରତିକୂଳ ଥିବା ସମୟରେ ଚିଲିକା ଭିତରକୁ ନ ଯିବାକୁ ଯାତ୍ରୀ ଓ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।














Leave a Reply