ଅକ୍ଷର ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ରାଜ୍ୟବ୍ୟାପୀ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି।
ଅଗ୍ନିଶମ ବିଭାଗ ପକ୍ଷରୁ ତିନୋଟି ରେଞ୍ଜରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପାରୁଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ୩୨୪ଟି ବୋଟ ପ୍ରସ୍ତୁତ ରଖାଯାଇଛି। ଏହାସହ ୩,୧୪୩ଟି ଲାଇଫ୍ ଜ୍ୟାକେଟ୍ ଓ ୨,୭୧୨ ଜଣ ପ୍ରଶିକ୍ଷିତ ଉଦ୍ଧାରକାରୀ କର୍ମୀ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସଜାଗ ରହିଛନ୍ତି।
ନିମ୍ନାଞ୍ଚଳରେ ବର୍ଷାଜଳ ଜମିବା ସମସ୍ୟାର ସମାଧାନ ପାଇଁ ୯୫୨ଟି ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଜଳ ନିଷ୍କାସନ କାର୍ଯ୍ୟକୁ ଦ୍ରୁତ କରିବା ସହ ସହର ଓ ଗ୍ରାମାଞ୍ଚଳରେ ଜଳବନ୍ଦୀ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡ଼ିବା, ଗଛ ଉପୁଡ଼ିବା ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ସମସ୍ତ ଆବଶ୍ୟକୀୟ ଯନ୍ତ୍ରପାତି ଓ ଉଦ୍ଧାର ସାମଗ୍ରୀ ସହ ପ୍ରସ୍ତୁତ ରହିଛି।
ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ ନେଇ ଅଗ୍ନିଶମ ଡିଜି ଓ ଆଇଜି ସ୍ତରରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ବୈଠକରେ ସମସ୍ତ ଜିଲ୍ଲାର ପ୍ରସ୍ତୁତି, ଉଦ୍ଧାରକାରୀ ଟିମ୍ର ମୁତୟନ ଓ ଜରୁରୀ ସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷାର ସତର୍କତା ଜାରି ହୋଇଥିବାରୁ ଅଗ୍ନିଶମ ବିଭାଗ ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ସହ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛି।
















Leave a Reply