ବାଲେଶ୍ୱର: ଲଗାଣ ବର୍ଷା ପରେ ପୁଣି ଉତ୍ତର ଓଡ଼ିଶାରେ ଦେଖାଦେଇଛି ବନ୍ୟା ଆଶଙ୍କା। ଲଗାତାର ବର୍ଷା ଯୋଗୁଁ ଜଳକା, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ତିନି ନଦୀର ଜଳସ୍ତର ବିପଦସଙ୍କେତ ଅତିକ୍ରମ କରିଥିବାରୁ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। ଲଗାଣ ବର୍ଷା ଯୋଗୁଁ ମଥାନୀଠାରେ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଉପରକୁ ଯାଇଛି। ମଥାନୀରେ ବିପଦସଙ୍କେତ ୬.୫୦ ମିଟର ଥିବାବେଳେ, ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୭୮ ମିଟରରେ ପ୍ରବାହିତ ହେଉଛି।
ସେପଟେ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍ରୁ ପାଣି ଛଡ଼ାଯିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ବଢ଼ିଛି। ରାଜଘାଟଠାରେ ସତର୍କ ସଙ୍କେତ ୯.୪୫ ମିଟର ଥିବାବେଳେ, ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୧୫ ମିଟରରେ ପ୍ରବାହିତ ହେଉଛି। ଅନ୍ୟପଟେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢ଼ାବଳଙ୍ଗ ନଦୀ। ଜାତୀୟ ରାଜପଥ ନିକଟରେ ନଦୀର ଜଳସ୍ତର ୮.୫୦ ମିଟର ଉପରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗର ବିପଦସଙ୍କେତ ୮.୧୩ ମିଟର ଏବଂ ସତର୍କ ସଙ୍କେତ ୭.୨୧ ମିଟର ରହିଛି। ଫଳରେ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ନଦୀଜଳ ବଢ଼ିବା ପରେ ବାଲେଶ୍ୱର ସହରର ଚୁନଭାଟି, ବାରବାଟୀ, ଦୌଡ଼ିଭଙ୍ଗା, ବେହେରା ସାହି ଓ ଓଲନ୍ଦାଜ ସାହି ଜଳମଗ୍ନ ହୋଇଛି। ସହରର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ବାଲେଶ୍ୱର ସହର ସହ ୧୦ଟି ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଜଳସ୍ତର ଆହୁରି ବଢ଼ୁଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ବଢ଼ିଛି ଚିନ୍ତା।














Leave a Reply