କମୁଛି ବୈତରଣୀ-ସାଳନ୍ଦୀର ବନ୍ୟାଜଳ, ବଢ଼ୁଛି ତଳିଆ ଅଞ୍ଚଳର ଦୁର୍ଦ୍ଦଶା

ଭଦ୍ରକ: ରାଜ୍ୟର ବିଭିନ୍ନ ନଦୀରେ ବନ୍ୟାଜଳ କମିବା ଆରମ୍ଭ ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ହ୍ରାସ ପାଉନାହିଁ। ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର କମୁଥିବା ବେଳେ ଭଦ୍ରକ ବ୍ଲକର ଦେଉଳି ପାଳ ଓ ବୋଇତାଳୁ ମାହାରା ଗାଁରେ ବନ୍ୟା ପରିସ୍ଥିତିର ପ୍ରଭାବ ଜାରି ରହିଛି। ଏବେବି ଅନେକ ଘର ଆଗରେ ପାଣି ଚାଲୁଥିବାରୁ ଲୋକମାନେ ଭୋକ ଉପାସରେ ଦିନ କାଟୁଥିବା ଅଭିଯୋଗ କରିଛନ୍ତି। ଗାଁକୁ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବନ୍ୟାପାଣି ଘେରରେ ରହିଥିବା ପରିବାରଗୁଡ଼ିକ ରିଲିଫ୍ ଓ ଆବଶ୍ୟକ ସହାୟତା ପାଇଁ ଅପେକ୍ଷାରେ ଥିବା ସୂଚନା ମିଳିଛି।

ହୀରାକୁଦର ୨୮ ଗେଟ୍‌ରେ ଜଳ ନିଷ୍କାସନ

ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ତେବେ ଗତକାଲି ତୁଳନାରେ ଆଜି ମହାନଦୀରେ ବନ୍ୟାଜଳ କମିଥିବା ବେଳେ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହ ଯୋଗୁଁ ମୁଣ୍ଡଳୀରେ ମଧ୍ୟ ଜଳପ୍ରବାହ କ୍ରମଶଃ ହ୍ରାସ ପାଉଛି।

କଟକ ମୁଣ୍ଡଳୀ ବ୍ରିଜ୍ ଦେଇ ପ୍ରତି ସେକେଣ୍ଡରେ ୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ନରାଜ ବ୍ୟାରେଜ୍ ଦେଇ କାଠଯୋଡ଼ି ନଦୀକୁ ୩ ଲକ୍ଷ ୮୯ ହଜାର ୩୬୨ କ୍ୟୁସେକ୍ ଜଳ ଛଡ଼ାଯାଉଥିବା ବେଳେ ଅବଶିଷ୍ଟ ଜଳ ମହାନଦୀରେ ପ୍ରବାହିତ ହେଉଛି। ମୁଣ୍ଡଳୀରେ ଅପ୍‌ଷ୍ଟ୍ରିମ୍ ଜଳସ୍ତର ୯୨.୦୦ ଫୁଟ୍ ଓ ଡାଉନ୍‌ଷ୍ଟ୍ରିମ୍ ଜଳସ୍ତର ୮୯.୫୦ ଫୁଟ୍ ରହିଛି। ନରାଜରେ ଅପ୍‌ଷ୍ଟ୍ରିମ୍ ଜଳସ୍ତର ୨୫.୯୦ ମିଟର ଓ ଡାଉନ୍‌ଷ୍ଟ୍ରିମ୍ ୨୩.୧୦ ମିଟର ରହିଛି। ଉଭୟ ମୁଣ୍ଡଳୀ ଓ ନରାଜରେ ଜଳପ୍ରବାହ ବର୍ତ୍ତମାନ ବିପଦ ସଙ୍କେତ ତଳେ ରହିଛି।

ଶାଖା ଓ ଉପନଦୀରେ ବଢ଼ିପାରେ ଜଳସ୍ତର

ମହାନଦୀରେ ବନ୍ୟାଜଳର ପ୍ରଭାବ ଏହାର ଶାଖା ଓ ଉପନଦୀଗୁଡ଼ିକରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଲୁଣା, କରାଣ୍ଡିଆ, ରତ୍ନଚିରା, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କାଠଯୋଡ଼ି ଓ କୁଆଖାଇ ଭଳି ନଦୀରେ ଜଳସ୍ତର ବଢ଼ି ତଳିଆ ଅଞ୍ଚଳରେ ପାଣି ପଶିପାରେ। ବିଶେଷକରି କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳ ଉପରେ ବିଶେଷ ନଜର ରହିଛି। ଏହାସହ କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପଶିବା ଆରମ୍ଭ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial