ଅକ୍ଷର ବ୍ୟୁରୋ: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଯୋଗାଣ ଅଧିକାରୀମାନଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନା କରାଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଯୋଗାଣ ସଚିବ ସଞ୍ଜୟ ସିଂହ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କ ସହ ଅନ୍ୟାନ୍ୟ ଅତିଥି ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଭାବେ ସରକାରୀ ସୁବିଧା ପହଞ୍ଚାଇବା ସହ ଖାଉଟି କଲ୍ୟାଣ ଯୋଜନାଗୁଡ଼ିକର ସଫଳ ରୂପାୟନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ସଚିବ ସଞ୍ଜୟ ସିଂହ କଡ଼ା ଚେତାବନୀ ଦେଇଥିଲେ । ସେ କହିଥିଲେ, ସ୍ଵଚ୍ଛତା ନ ରଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ନିୟମ ପାଳନ ନକଲେ ନିଲମ୍ବିତ ହେବେ କିମ୍ବା ଚାକିରି ଯିବ । ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ସମୟରେ ଅଧିକାରୀ ରିଆକ୍ଟିଭ ନ ହୋଇ ପ୍ରୋଆକ୍ଟିଭ ହେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାସ୍ତରରେ ଚଢାଉ କରି କଳାବଜାରୀଙ୍କ ଉପରେ ଆକ୍ସନ୍ ନେବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ସଚିବ । ଯଦି କିଛି ଅସୁବିଧା ଅଛି ତୁରନ୍ତ ଜଣାଅ । କେଉଁଠି ଅସୁବିଧା ରହୁଛି ଜଣାଅ । ଏହା କହି ଯୋଗାଣ ଅଧିକାରୀମାନଙ୍କୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ପାଳନ ପାଇଁ ଶପଥ କରାଇଛନ୍ତି ଯୋଗାଣ ସଚିବ । ଖାଲି ସେତିକି ନୁହେଁ ଧାନ କିଣା ବେଳେ ଅବହେଳା କରିଥିବା କିଛି ଯୋଗାଣ ଅଧିକାରୀଙ୍କୁ ମଧ୍ୟ ସିଧା ସିଧା ତାଗିଦ କଲେ ସଚିବ ସଞ୍ଜୟ ସିଂ ।












Leave a Reply