ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ଶ୍ରୀହରିକୋଟା ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ମହାକାଶ ବିଜ୍ଞାନରେ ଓଡ଼ିଶା ଗଢ଼ିବ ନୂଆ ଇତିହାସ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ପରିସରରେ ଆୟୋଜିତ “ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ” (YATS) କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ୩୦ ପ୍ରତିଭାଙ୍କୁ ଆଶୀର୍ବାଦ କରିଛନ୍ତି । ଶ୍ରୀହରିକୋଟା ଯାତ୍ରା ପାଇଁ ମନୋନୀତ ହୋଇଥିବା ୩୦ଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, “ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଆଜି ବିଶ୍ୱରେ ଦ୍ରୁତ ଅଗ୍ରଗତି କରୁଛି । ଓଡ଼ିଶାର ଯୁବ ପ୍ରତିଭାମାନେ ମଧ୍ୟ ଏହି କ୍ଷେତ୍ରରେ ନୂତନ ଇତିହାସ ସୃଷ୍ଟି କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ।” ସେ ଆହୁରି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ କଠିନ ପ୍ରତିଯୋଗିତା ମାଧ୍ୟମରେ ଚୟନିତ ଏହି ୩୦ଜଣ ଛାତ୍ରଛାତ୍ରୀ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ର ପରିଦର୍ଶନ କରିବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ।

ଏହି ଅବସରରେ ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମର ମିଳିତ ପ୍ରୟାସରେ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବା ସହ ଦେଶର ବିଶିଷ୍ଟ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଉଥିବାରୁ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ । ଚନ୍ଦ୍ରଯାନ ଓ ଗଗନଯାନ ପରି ମହତ୍ୱାକାଙ୍କ୍ଷୀ ମିଶନର ସଫଳତା ଭାରତକୁ ବିଶ୍ୱସ୍ତରରେ ନୂତନ ପରିଚୟ ଦେଇଛି । ଭବିଷ୍ୟତରେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକେ ଦେଶର ନାମୀ ବୈଜ୍ଞାନିକ ଭାବେ ଉଭୁକି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିବେ କହି ସମସ୍ତ ବିଜେତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଛାତ୍ରଛାତ୍ରୀମାନେ ଅହମ୍ମଦାବାଦ ଓ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କେନ୍ଦ୍ର ପରିଦର୍ଶନ କରିଥିବାବେଳେ, ଚଳିତ ବର୍ଷ ପ୍ରଥମଥର ପାଇଁ YATSର ବିଜେତାମାନେ ଶ୍ରୀହରିକୋଟା ଯାଉଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଶାସନ ସଚିବ ଚିତ୍ରା ଅରୁମୁଗମ, ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା, ଟାଟା ଷ୍ଟିଲର ଚିଫ ରେସିଡେଣ୍ଟ ଏକଜିକ୍ୟୁଟିଭ ମୋହିତ ଦାସଙ୍କ ସମେତ ବହୁ ଅଧିକାରୀ, ଶିକ୍ଷକ, ଅଭିଭାବକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)