ଝାରସୁଗୁଡ଼ା ନବ ନିର୍ମିତ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମର ଶୁଭ ଉଦଘାଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ଆଜି ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ (ପ୍ରଯୁକ୍ତି) ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶା ସରକାର ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମଙ୍କ ସହଯୋଗରେ ଝାରସୁଗୁଡ଼ା ମଙ୍ଗଳ ବଜାରସ୍ଥିତ ସାଟେଲାଇଟ୍ ହସ୍ପିଟାଲ ପ୍ରାଙ୍ଗଣରେ ଥିବା ନବ ନିର୍ମିତ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ (Grain ATM)ର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ‘ହିତାଧିକାରୀଙ୍କୁ ସହଜ, ସ୍ୱଚ୍ଛ ଓ ପ୍ରଯୁକ୍ତିନିର୍ଭର ସେବା ଯୋଗାଇବା ଦିଗରେ ମୋହନ ସରକାରଙ୍କ ଆଉ ଏକ ସୁଦୃଢ଼ ପଦକ୍ଷେପ ନେଇଛନ୍ତି । ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଜିଲ୍ଲାର ହିତାଧିକାରୀମାନେ ଅଧିକ ସୁବିଧାଜନକ, ଦୃତ ଓ ସଠିକ ପ୍ରଣାଳୀରେ ପିଡିଏସ ସାମଗ୍ରୀ ପାଇପାରିବେ । ଡିଜିଟାଲ ପ୍ରଯୁକ୍ତିର ସଦୁପଯୋଗ ଦ୍ୱାରା ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଲୋକସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହାର ମୂଳ ଲକ୍ଷ୍ୟ’ ।

ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ କୁଶାଲ ମୋତିରାମ ଚହ୍ୱାଣ, ଭାରତ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଉପନିର୍ଦ୍ଦେଶିକା ନୋଜୋମି ହାସିମୋଟୋଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ ଏବଂ ଶତାଧିକ ହିତାଧିକାରୀଙ୍କ ଉପସ୍ଥିତି ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial