ସବୁଦିନ ପାଇଁ ଶୋଇ ଯାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନ । ଅଫେରା ରାଇଜର ପଥିକ ସାଜିଥିବା ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ହରେଇ କାନ୍ଦୁଛି ସାରା ରାଜ୍ୟ। ଦେବେନ୍ଦ୍ର ପ୍ରଧାନ ଏମିତି ଏକ ବ୍ୟକ୍ତିତ୍ଵ ଥିଲେ ଯାହାଙ୍କ ନାଁ ପଡ଼ିଲେ ପ୍ରଗତି, ବିକାଶ ଆଖି ଆଗରେ ଝଲସି ଉଠେଇ। ଏକାଧାରରେ ସେ ଥିଲେ ଜଣେ ଚିକିତ୍ସକ, ଚାଷୀ ଏବଂ ସମାଜସେବୀ। ବିଭିନ୍ନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ।
କେନ୍ଦ୍ରମନ୍ତ୍ରୀ ରହି ନେଇଛନ୍ତି ଅନେକ ଯୁଗାନ୍ତକାରୀ ପଦକ୍ଷେପ। ଡାକ୍ତରୀ ତାଙ୍କର ପେଷା ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ରାଜନୀତି ତାଙ୍କର ନିଶା ପାଲଟିଗଲା। ଚିକିତ୍ସକରୁ ବନିଗଲେ ସଫଳ ରାଜନେତା। ତାଳଚେର ମଣ୍ଡଳ ସଭାପତିରୁ ବିଜେପି ରାଜ୍ୟ ସଭାପତି ହେଲେ ଏହାପରେ ଆଉ ପଛକୁ ଫେରି ଚାହିଁଲେ ନାହିଁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ସଫଳ ରାଜନୀତିରେ କ୍ୟାରିୟର ଗଢିଥିଲେ ଦେବେନ୍ଦ୍ର ପ୍ରଧାନ। କେବଳ ନିଜ ରାଜନୈତିକ କ୍ୟାରିୟର ଗଢିଥିଲେ ତାହା ନୁହେଁ। ରାଜ୍ୟରେ ଅନେକ ନେତା ଗଢିବାରେ ଦେବେନ୍ଦ୍ରଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
ବର୍ତ୍ତମାନ ବିଜେପି ନେତା ତଥା ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କର ସେ ଥିଲେ ରାଜନୈତିକ ଗୁରୁ। ଦେବେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ନେତୃତ୍ଵ ଓ କାର୍ଯ୍ୟ ଦେଖି ଅନେକ ଲୋକ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ। ବଡ ବଡ ପେଶା ଛାଡି ଯୁବକମାନେ ଆସି ରାଜନୀତି ତଥା ବିଜେପିରେ ସାମିଲ ହୋଇଥିଲେ। ସେହିଭଳି ଯୋଗାଣ ମନ୍ତ୍ରୀ ନିଜ ଅଞ୍ଚଳର ଏହି ନେତାଙ୍କ ଭାବମୂର୍ତ୍ତି ଦେଖି ଓକିଲାତି ଭଳି ଲାଭଜନକ ପେଶା ଛାଡି ରାଜନୀତିକୁ ପ୍ରବେଶ କରିଥିଲେ। ଦେବେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଛାତ୍ର ଅବସ୍ଥାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଜଡ଼ିତ ରହି ସଂଗଠନକୁ ମଜଭୁତ କରିଥିଲେ। ଦେବେନ୍ଦ୍ରଙ୍କ ପ୍ରଦର୍ଶିତ ବାଟରେ ଯାଇ ଆଜି ଯୋଗାଣ ମନ୍ତ୍ରୀ ହୋଇ ଓଡ଼ିଶାର ଜନତାଙ୍କ ପାଇଁ ଜନହିତକର ଯୋଜନା କରୁଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯଦି ସେଦିନ ଏହି ହିରାଙ୍କୁ ଦେବେନ୍ଦ୍ର ପ୍ରଧାନ ଚିହ୍ନି ରାଜନୀତିକୁ ଆଣି ନଥାନ୍ତେ ତାହାଲେ ଇତିହାସ କିଛି ଭିନ୍ନ ହୋଇଥାନ୍ତା ନିଶ୍ଚୟ। ତେବେ ୮୩ ବର୍ଷରେ ନିଜ ରାଜନୈତିକ ଗୁରୁଙ୍କ ଦେହାନ୍ତ ପରେ ଅତ୍ୟନ୍ତ ଭାବ ବିହୋଳ ହୋଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ସୋସିଆଲ ମିଡିଆରେ ନିଜ ରାଜନୈତିକ ଗୁରୁଙ୍କ ଦେହାନ୍ତ ଖବର ପାଇ ଦୁଃଖଭରା ପୋଷ୍ଟ ଲେଖି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମନ୍ତ୍ରୀ। ଏହାସହ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ତାଙ୍କ ଭୁବନେଶ୍ୱର ବାସଭବନରେ ଢେଙ୍କାନାଳ ଜିଲ୍ଲାର ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ନିଜର ରାଜନୈତିକଙ୍କ ଗୁରୁଙ୍କୁ ଦୁଃଖୀ ମନ ଓ ଛଳ ଛଳ ଆଖିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେବେନ୍ଦ୍ର ପ୍ରଧାନଙ୍କ ସହ ବିତେଇଥିବା ପୁରୁଣା ଦିନ ବିଷୟରେ ମନ ପକାଇ ଭାବ ବିହୋଳ ହୋଇଥିଲେ ମନ୍ତ୍ରୀ। ଏହାସହ ସର୍ବଦା ନିଜ ଗୁରୁଙ୍କ ମାନ ରଖିବି, ଲୋକଙ୍କ ସେବା ମୋର ଜୀବନର ବ୍ରତ ହୋଇ ରହିଛି ରହିବ ମଧ୍ୟ। ମୋ ଅଞ୍ଚଳର ବିକାଶ ସହ ରାଜ୍ୟର ସମସ୍ତ ବର୍ଗର ବିକାଶ ପାଇଁ ଚେଷ୍ଟିତ ରହିବି ବୋଲି ମନ୍ତ୍ରୀ କହିଥିଲେ।















Leave a Reply