ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି କି, ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ଅଛି । ଏହାସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି ।

ସୂଚନା ଅନୁସାରେ, ରାଜେନ୍ଦ୍ର ଢୋଲକିଆ ଚେନ୍ନାଇ ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ଚେନ୍ନାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୯ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି ।  

ତେବେ ୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ରାଜେନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ରାଜନୈତିକ କ୍ଷେତ୍ରରେ ସେ ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନବୀନ ସରକାର ସମୟରେ ସେ ମନ୍ତ୍ରୀ ମଧ୍ୟ ରହିଥିଲେ । ୨୦୦୪, ୨୦୦୯, ୨୦୧୯, ୨୦୨୪ରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ନବୀନଙ୍କ ୫ମ ପାଳିରେ ମନ୍ତ୍ରିମଣ୍ଡଳରେ ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା । ତେବେ ନୂଆପଡାରୁ ଲଗାତର ବିଧାନସଭାକୁ ପ୍ରତିନିଧିତ୍ୱ କରିଛନ୍ତି ରାଜେନ୍ଦ୍ର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)