ମୋ ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅକ୍ଷର ବ୍ୟୁରୋ: ଆଜି ଓଡ଼ିଶାରେ ବିଜେପି ସରକାରକୁ ଦୁଇ ବର୍ଷ ପୁରିଛି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି, ମୋର ପ୍ରିୟ ଓଡ଼ିଶାବାସୀ, ୧୨ ଜୁନ୍ ୨୦୨୪, ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନରେ ଆପଣମାନଙ୍କ ସେବା କରିବାର ପବିତ୍ର ଦାୟିତ୍ୱ ମୋତେ ମିଳିଥିଲା।

ଜଣେ ସ୍ୱୟଂସେବକର ସମର୍ପିତ ମନ ନେଇ, ଶିକ୍ଷକତାରୁ ସରପଞ୍ଚ ଏବଂ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ଯେଉଁ ଯାତ୍ରା ମୁଁ ଆରମ୍ଭ କରିଥିଲି

ଜଣେ ସ୍ୱୟଂସେବକର ସମର୍ପିତ ମନ ନେଇ, ଶିକ୍ଷକତାରୁ ସରପଞ୍ଚ ଏବଂ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ଯେଉଁ ଯାତ୍ରା ମୁଁ ଆରମ୍ଭ କରିଥିଲି, ଆଜି ରାଜ୍ୟର ସର୍ବୋଚ୍ଚ ଦାୟିତ୍ୱରେ ରହି ମଧ୍ୟ ସେହି ସେବାଭାବକୁ ଅବିଚଳ ରଖିଛି। ଆପଣମାନଙ୍କ ନିଷ୍କପଟ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ପ୍ରକୃତ ଶକ୍ତି। ମୁଁ ଆପଣମାନଙ୍କ ଭିତରୁ ଜଣେ; ଆପଣଙ୍କ ଭାଇ, ଆପଣଙ୍କ ପୁଅ, ଆପଣଙ୍କ ମୋହନ। ମୋ ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ।

ବିଗତ ଦୁଇ ବର୍ଷ ମଧ୍ୟରେ ଆମର ଏହି ‘ଲୋକଙ୍କ ସରକାର’ କେବଳ ଶାସନ ପରିଚାଳନା କରିନାହିଁ, ବରଂ ସେବା, ସମର୍ପଣ ଓ ସୁଶାସନ ବଳରେ ପ୍ରତ୍ୟେକ ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ; ପ୍ରତ୍ୟେକ କ୍ଷେତ୍ରରେ ଆଜି ବିକାଶର ଯେଉଁ ନୂତନ ଧାରା ପ୍ରବାହିତ ହେଉଛି, ତାହା ପଛରେ ରହିଛି ଆପଣମାନଙ୍କ ଅମୂଲ୍ୟ ଆଶୀର୍ବାଦ ଓ ସହଯୋଗ। ଏହି ଦୁଇ ବର୍ଷର ଯାତ୍ରା କେବଳ ସମୟର ହିସାବ ନୁହେଁ; ଏହା ସେବା, ସମର୍ପଣ ଓ ସମୃଦ୍ଧ ଓଡ଼ିଶା ଗଠନର ଏକ ସଙ୍କଳ୍ପବଦ୍ଧ ଯଜ୍ଞ। ମୋର ସ୍ୱପ୍ନ ହେଉଛି ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବା। ଏହି ସ୍ୱପ୍ନ କେବଳ ମୋର ନୁହେଁ, ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ସାମୂହିକ ସଂକଳ୍ପ।

ଆସନ୍ତୁ, ଉତ୍କଳ ଜନନୀଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି, ସମୂହ ପ୍ରୟାସ ମାଧ୍ୟମରେ ବିକାଶର ଏହି ଧାରାକୁ ଆହୁରି ତ୍ୱରାନ୍ୱିତ କରିବା। ମୋ ଜୀବନର ପ୍ରତିଟି କ୍ଷଣ ଏହି ପବିତ୍ର ମାଟିର ସେବା ପାଇଁ ସମର୍ପିତ ରହିଛି ଏବଂ ସଦାସର୍ବଦା ରହିବ। ଆପଣମାନଙ୍କ ଅକୁଣ୍ଠ ଭଲପାଇବା ଏବଂ ଭରସା ହିଁ ଏହି ବିକାଶ ଯାତ୍ରାରେ ମୋର ଏକମାତ୍ର ସମ୍ବଳ। ଆପଣମାନେ ହିଁ ଏହି ଅବିରତ ସେବା ଯଜ୍ଞର ପ୍ରକୃତ ନାୟକ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)