ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ବିରୋଧରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ। ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଫାଶ ଜାଲ, ବାରୁଦ ଓ ଧନୁତୀର ଜବତ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଖିମକୁଟ ଅଞ୍ଚଳର ନନ୍ଦିଆ ମୁର୍ମୁ ଓ ଶ୍ୟାମ ସିଂ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, କିଛି ଦିନ ହେବ କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଥିବା ନେଇ ବନ ବିଭାଗ ନଜର ରଖିଥିଲା। ନନ୍ଦିଆ ମୁର୍ମୁ ଓ ଶ୍ୟାମ ସିଂ ପୂର୍ବରୁ ମଧ୍ୟ ଅଭୟାରଣ୍ୟରେ ଶିକାର କରି ଫେରାର ହୋଇଯାଉଥିବା ଅଭିଯୋଗ ରହିଥିଲା। ଏନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ବନ ବିଭାଗ ପକ୍ଷରୁ ଯୋଜନାବଦ୍ଧ ଭାବେ ହଠାତ୍ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା।
ଶିକାରୀଙ୍କଠାରୁ ଦେଶୀ ବନ୍ଧୁକ ସମେତ ଫାଶ ଜାଲ, ବାରୁଦ ଓ ଧନୁତୀର ଜବତ ହୋଇଛି। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ, କୁଳଡିହା ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ପାଟ୍ରୋଲିଂ ଓ ନଜରଦାରୀକୁ ଆହୁରି ଜୋରଦାର କରିଛି ବନ ବିଭାଗ। ଜଙ୍ଗଲ ଭିତରେ ଅବାଧ ଶିକାର ରୋକିବା ସହ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।














Leave a Reply