ବନ୍ୟା ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର: ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ୩ ବରିଷ୍ଠ ଅଧିକାରୀ ନିଯୁକ୍ତ

ଅକ୍ଷର ବ୍ୟୁରୋ: ରାଜ୍ୟର କିଛି ଅଞ୍ଚଳରେ ପୁନର୍ବାର ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ କ୍ଷେତ୍ରସ୍ତରରେ ଉପସ୍ଥିତ ରହିଛି। ଆବଶ୍ୟକତା ଅନୁସାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିବା ସହ ବନ୍ୟା ପରିସ୍ଥିତିର ନିରନ୍ତର ତଦାରଖ କରାଯାଉଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସୁଗମ ପରିଚାଳନା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଲାଗି ତିନି ଜଣ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କୁ ପୃଥକ ଭାବେ ଦାୟିତ୍ୱ ଦିଆଯାଇଛି।

ଏହି ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମନ୍ୱୟ ସହ ଭୂମିସ୍ତରର ସ୍ଥିତି ଉପରେ ନଜର ରଖିବେ। ସେପଟେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ସମସ୍ତ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖି ବନ୍ୟା ପରିସ୍ଥିତି ଓ ଉଦ୍ଧାର-ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ଆବଶ୍ୟକ ସ୍ଥାନରେ ତୁରନ୍ତ ପଦକ୍ଷେପ ନେବା ଏବଂ ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ପ୍ରଭାବିତ ଲୋକଙ୍କ ପାଖରେ ଶୀଘ୍ର ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial