ଲୁହାପଥର ଗ୍ରେଡ୍ ହେରଫେରକୁ ନେଇ ସରକାରଙ୍କ କଡ଼ା ଆକ୍ସନ୍! ଖଣି କମ୍ପାନୀଙ୍କୁ ଚେତାବନୀ, ଲିଜ୍ ବାତିଲ ସହ କଠୋର କାର୍ଯ୍ୟାନୁଷ୍ଠାନର ସତର୍କ ସଙ୍କେତ

ଅକ୍ଷର ବ୍ୟୁରୋ: ଲୁହାପଥର ଗ୍ରେଡ୍ ହେରଫେରକୁ ନେଇ ଓଡ଼ିଶା ସରକାର ବଡ଼ ଆକ୍ସନ୍ ମୋଡ୍‌କୁ ଆସିଛନ୍ତି। ଖଣିଜର ପ୍ରକୃତ ଗ୍ରେଡ୍‌କୁ କମ୍ ଦର୍ଶାଇ ସରକାରୀ ରାଜସ୍ୱରେ କ୍ଷତି ଘଟାଇବା ଅଭିଯୋଗ ପରେ ଖଣି ଲିଜଧାରୀ ଓ ପ୍ରମୁଖ ଇସ୍ପାତ କମ୍ପାନୀମାନଙ୍କୁ କଡ଼ା ଚେତାବନୀ ଜାରି କରାଯାଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ଲୁହାପଥରର ଗ୍ରେଡ୍ ହେରଫେର, ଭୁଲ ଘୋଷଣା କିମ୍ବା ଖଣିଜର ପ୍ରକୃତ ମୂଲ୍ୟ ଲୁଚାଇବା ଭଳି କାର୍ଯ୍ୟକୁ ଆଉ ବରଦାସ୍ତ କରାଯିବ ନାହିଁ।

ସରକାରୀ ଯାଞ୍ଚରେ କେତେକ ଖଣି ଲିଜଧାରୀ ଲୁହାପଥରର ପ୍ରକୃତ ଗ୍ରେଡ୍‌ଠାରୁ କମ୍ ଗ୍ରେଡ୍ ଦର୍ଶାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହା ଫଳରେ ରୟାଲ୍ଟି, ନିଲାମ ପ୍ରିମିୟମ୍ ଓ ଅନ୍ୟାନ୍ୟ ସରକାରୀ ଦେୟରେ ରାଜ୍ୟ ସରକାରଙ୍କ ବ୍ୟାପକ ରାଜସ୍ୱ କ୍ଷତି ଘଟିଥିବା ଦର୍ଶାଯାଇଛି। ଜୁଲାଇ ୧୩ରେ ଅନୁଷ୍ଠିତ ବୈଠକରେ ଖଣି ଓ ଇସ୍ପାତ କମ୍ପାନୀମାନଙ୍କୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏଭଳି ଅନିୟମିତତା ଧରାପଡ଼ିଲେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଲିଜ୍ ବାତିଲ ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବ।

ଏହା ପୂର୍ବରୁ ଯୋଡ଼ା, କୋଇଡ଼ା, ଯାଜପୁର ରୋଡ଼, କେନ୍ଦୁଝର ଓ ବାରିପଦା ଖଣି ସର୍କଲର ୬୫ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସନ୍ତୋଷଜନକ ଜବାବ ନମିଳିଲେ ସମ୍ପୃକ୍ତ ଲିଜ୍ ବାତିଲ ସହ ପରଫର୍ମାନ୍ସ ସିକ୍ୟୁରିଟି ଜବତ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଏହି ତାଲିକାରେ ଅନେକ ପ୍ରମୁଖ ମାଇନିଂ ଓ ଇସ୍ପାତ କମ୍ପାନୀର ନାମ ମଧ୍ୟ ରହିଛି। ତେବେ ଅଭିଯୋଗକୁ କିଛି କମ୍ପାନୀ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଲୁହାପଥରର ଗ୍ରେଡ୍ ଖଣିର ଭୂତାତ୍ତ୍ୱିକ ଗଠନ ଅନୁସାରେ ନିର୍ଣ୍ଣୟ ହୁଏ ଏବଂ ଏଥିରେ କୌଣସି ଇଚ୍ଛାକୃତ ହେରଫେର କରାଯାଇନାହିଁ। ତଥାପି ସରକାର ଏହି ଦାବିକୁ ଯାଞ୍ଚ କରୁଥିବା ଜଣାପଡ଼ିଛି।

ଏହି ପ୍ରସଙ୍ଗରେ CAG ରିପୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି। ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ଓ ୨୦୨୧-୨୨ ମଧ୍ୟରେ ଲୁହାପଥରର କମ୍ ମୂଲ୍ୟାୟନ ଯୋଗୁଁ ରାଜ୍ୟ ସରକାରଙ୍କ ପ୍ରାୟ ୪,୧୬୨.୭୯ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଆକଳନ କରାଯାଇଛି। ଏହା ପରେ ସରକାର ତୃତୀୟ ପକ୍ଷ ସାମ୍ପଲିଂ, ଡିଜିଟାଲ ଟ୍ରାକିଂ, ଗ୍ରେଡ୍ ଯାଞ୍ଚ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି କଡ଼ା କରିବା ସହ ଖଣି କାରବାରରେ ସ୍ୱଚ୍ଛତା ଆଣିବାକୁ ଜୋର ଦେଇଛନ୍ତି। ଲୁହାପଥର ଗ୍ରେଡ୍ ହେରଫେରକୁ ନେଇ ସରକାରଙ୍କ ଏହି କଡ଼ା ଆଭିମୁଖ୍ୟ ଖଣି ଶିଳ୍ପରେ ଚହଳ ସୃଷ୍ଟି କରିଥିବା ବେଳେ, ଆଗାମୀ ଦିନରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ କେଉଁ ଦିଗକୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial