ଟ୍ୱିନ୍ ସିଟିର ଟ୍ରାଫିକ୍ ଜାମ୍‌କୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ଗଠନ ହେଲା ସ୍ୱତନ୍ତ୍ର କମିଟି

ଅକ୍ଷର ବ୍ୟୁରୋ: ଟ୍ୱିନ୍ ସିଟି ଭୁବନେଶ୍ୱର–କଟକବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଦିନକୁ ଦିନ ବଢ଼ିଚାଲିଥିବା ଟ୍ରାଫିକ୍ ଜାମ୍ ସମସ୍ୟାର ସ୍ଥାୟୀ ଓ ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଟ୍ରାଫିକ୍ ଜାମ୍‌ର ପ୍ରମୁଖ କାରଣ ଚିହ୍ନଟ କରିବା ସହ ଯାତାୟାତ ବ୍ୟବସ୍ଥାକୁ ସୁଗମ ଓ କାର୍ଯ୍ୟକ୍ଷମ କରିବା ଦିଗରେ କାମ କରିବ।

ସୂଚନା ଅନୁସାରେ, ଉନ୍ନୟନ କମିଶନର ଦେଓରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଗତ ମେ’ ୫ ତାରିଖରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଆଧାରରେ ଟ୍ୱିନ୍ ସିଟିର ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏକ ସମନ୍ୱିତ କମିଟି ଗଠନ କରାଯାଇଛି। କମିଟିରେ ପୂର୍ତ୍ତ ବିଭାଗର ଚିଫ୍ କନ୍‌ଷ୍ଟ୍ରକସନ ଇଞ୍ଜିନିୟର, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଇଞ୍ଜିନିୟର ସଦସ୍ୟ, କମିଶନରେଟ୍ ପୁଲିସର ଟ୍ରାଫିକ୍ ଏସିପି ଏବଂ ଟ୍ରାଫିକ୍ ପୁଲିସର ଅତିରିକ୍ତ ଡିସିପିଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି କମିଟି ଟ୍ରାଫିକ୍ ସମସ୍ୟାର ବ୍ୟବହାରିକ ସମାଧାନ ବାହାର କରିବ।

ଭୁବନେଶ୍ୱର ଓ କଟକର ଅନେକ ପ୍ରମୁଖ ସ୍ଥାନରେ ଟ୍ରାଫିକ୍ ଜାମ୍‌ ଏବେ ଏକ ଗୁରୁତର ସମସ୍ୟା ପାଲଟିଛି। ତେଣୁ ଜାମ୍ ହେଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିବା, ସେଠାରେ ତୁରନ୍ତ କାର୍ଯ୍ୟକାରୀ ହୋଇପାରୁଥିବା ସ୍ୱଳ୍ପକାଳୀନ ପଦକ୍ଷେପଗୁଡ଼ିକର ଯାଞ୍ଚ ଏବଂ ଅନୁମୋଦନ କରିବା ଏହି କମିଟିର ପ୍ରମୁଖ ଦାୟିତ୍ୱ ହେବ। ବିଶେଷକରି ଯାନବାହନ ଓ ପଥଚାରୀଙ୍କ ଗତିବିଧିକୁ ଅଧିକ ସୁଗମ କରିବା, ରାସ୍ତାର ଲେ-ଆଉଟ୍‌ରେ ଆବଶ୍ୟକ ସଂଶୋଧନ ଆଣିବା, ଟ୍ରାଫିକ୍ ସିଗ୍ନାଲ୍ ଏବଂ ନିୟନ୍ତ୍ରଣ ବ୍ୟବସ୍ଥାକୁ ଉନ୍ନତ କରିବା ସହ ସାମଗ୍ରିକ ଟ୍ରାଫିକ୍ ପରିଚାଳନାକୁ ଅଧିକ କାର୍ଯ୍ୟକ୍ଷମ କରିବା ଉପରେ କମିଟି ଫୋକସ୍ କରିବ। ଟ୍ୱିନ୍ ସିଟିରେ ଦ୍ରୁତ ସହରୀକରଣ ଓ ବଢ଼ୁଥିବା ଯାନବାହନ ସଂଖ୍ୟା ଯୋଗୁଁ ଦିନକୁ ଦିନ ଟ୍ରାଫିକ୍ ଚାପ ବଢ଼ୁଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ଯାତାୟାତ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)