ଭୁବନେଶ୍ୱର ଇସ୍କନରେ ଦେବସ୍ନାନ ପୂର୍ଣ୍ଣିମାର ମହାସମାରୋହ; ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଅକ୍ଷର ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସାରା ଓଡ଼ିଶା ଭକ୍ତିରସରେ ଭାସୁଥିବାବେଳେ ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ମହାପ୍ରଭୁଙ୍କ ଐତିହ୍ୟବହନକାରୀ ସ୍ନାନଯାତ୍ରା ଓ ସ୍ୱତନ୍ତ୍ର ପୂଜାନୀତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବେଦମନ୍ତ୍ର, ଶଙ୍ଖଧ୍ୱନି ଏବଂ ବୈଦିକ ରୀତିନୀତି ମଧ୍ୟରେ ସୁଗନ୍ଧିତ ପବିତ୍ର ଜଳରେ ମହାସ୍ନାନ କରାଯାଉଛି। ଏହି ଦିବ୍ୟ ଲୀଳାର ସାକ୍ଷୀ ହେବା ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତ ମନ୍ଦିର ପରିସରକୁ ଛୁଟି ଆସିଛନ୍ତି।

ମନ୍ଦିର ପରିସରରେ ଭକ୍ତଙ୍କ ହାତରେ ତୁଳସୀମାଳା, ମୁଖରେ ଜୟ ଜଗନ୍ନାଥ ଓ ହରେ କୃଷ୍ଣ ମହାମନ୍ତ୍ରର ଧ୍ୱନି ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଆବେଗରେ ଭରିଦେଇଛି। ଅଖଣ୍ଡ ନାମ ସଂକୀର୍ତ୍ତନ, ଭଜନ ଓ କୀର୍ତ୍ତନରେ ଭକ୍ତମାନେ ନାଚି ନାଚି ମହାପ୍ରଭୁଙ୍କ ପ୍ରତି ନିଜର ଅଗାଧ ଭକ୍ତି ପ୍ରକାଶ କରୁଛନ୍ତି। ସ୍ନାନନୀତି ପରେ ପୁଷ୍ପ, ଚନ୍ଦନ ଓ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟରେ ସଜ୍ଜିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି। ଏହି ଦୁର୍ଲଭ ଦର୍ଶନ ପାଇବାକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଚରମ ସୀମାରେ ପହଞ୍ଚିଛି। ପୁରାଣ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ସ୍ନାନଯାତ୍ରାକୁ ମହାପ୍ରଭୁଙ୍କ ଆବିର୍ଭାବ ଉତ୍ସବ ଭାବେ ମାନ୍ୟତା ଦିଆଯାଏ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ସ୍ନାନ ଦର୍ଶନ କଲେ ପୁଣ୍ୟଲାଭ ସହ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ଅଟଳ ବିଶ୍ୱାସ ରହିଛି।

କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ଦେବସ୍ନାନ ପୂର୍ଣ୍ଣିମା ପାଳନକୁ ନେଇ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଲାଗିଛି। ପ୍ରତ୍ୟେକ ଭକ୍ତଙ୍କ ଓଠରେ ଜୟ ଜଗନ୍ନାଥ ଏବଂ ମନରେ ଗୋଟିଏ ପ୍ରାର୍ଥନା—ମହାପ୍ରଭୁଙ୍କ ଅପାର କୃପା ସମଗ୍ର ବିଶ୍ୱ ଉପରେ ବର୍ଷିତ ହେଉ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial