ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏହି ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବମାନଙ୍କ ସହ ପୁରୀ ଜିଲ୍ଲାପାଳ ଓ ପୁରୀ ଏସ୍ପି ମଧ୍ୟ ଉପସ୍ଥିତ ରହିବେ। ରଥଯାତ୍ରା ପାଇଁ ବିଭାଗୱାରୀ ପ୍ରସ୍ତୁତି ଏବଂ ଦାୟିତ୍ୱ ପାଳନର ଅଗ୍ରଗତିକୁ ନେଇ ବିସ୍ତୃତ ସମୀକ୍ଷା କରାଯିବ।
ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଜରୁରୀକାଳୀନ ସେବା ଓ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଉପରେ ବିଶେଷ ଆଲୋଚନା ହେବ। ସେହିପରି ପ୍ରତ୍ୟେକ ବିଭାଗକୁ ଦିଆଯାଇଥିବା ଦାୟିତ୍ୱର କାର୍ଯ୍ୟାନ୍ୱୟନ ସ୍ଥିତିର ସମୀକ୍ଷା କରାଯିବ। କୌଣସି ବିଭାଗର ପ୍ରସ୍ତୁତିରେ ତ୍ରୁଟି କିମ୍ବା ଅଭାବ ଚିହ୍ନଟ ହେଲେ ତାହାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ସରକାରଙ୍କ ପ୍ରାଥମିକତା ରହିଛି।
ରଥଯାତ୍ରା ପୂର୍ବରୁ ଆୟୋଜିତ ହେଉଥିବା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକକୁ ସମଗ୍ର ପ୍ରସ୍ତୁତିର ଶେଷ ପର୍ଯ୍ୟାୟର ସମୀକ୍ଷା ଭାବେ ଦେଖାଯାଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି, ଶ୍ରୀକ୍ଷେତ୍ରରେ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସ୍ମରଣୀୟ ରଥଯାତ୍ରାର ଅନୁଭୂତି ସୁନିଶ୍ଚିତ କରିବା।













Leave a Reply