SI ଆଶାୟୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ସୁଦ୍ଧା ହେବ ବାତିଲ SI ପରୀକ୍ଷା, ବୟସ ସୀମା ପାର୍ କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ମିଳିବ ସୁଯୋଗ

ଅକ୍ଷର ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହୋଇଥିବା ଓଡ଼ିଶା SI (Sub-Inspector) ନିଯୁକ୍ତି ପରୀକ୍ଷାକୁ ନେଇ ଆସିଛି ବଡ଼ ଅପଡେଟ୍। ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ହଜାର ହଜାର SI ଆଶାୟୀଙ୍କ ପାଇଁ ସ୍ୱସ୍ତିକର ସୂଚନା ଦେଇଛନ୍ତି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ (OUSSC)ର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ। ସେ କହିଛନ୍ତି, ଅକ୍ଟୋବର ସୁଦ୍ଧା ବାତିଲ ହୋଇଥିବା SI ପରୀକ୍ଷା ପୁନର୍ବାର ଆୟୋଜନ କରାଯିବ।

କମିଶନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କାରଣରୁ ବଞ୍ଚିତ ହୋଇଥିବା ସମସ୍ତ ପ୍ରାର୍ଥୀ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏପରିକି ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନଙ୍କୁ ମଧ୍ୟ ବୟସ କୋହଳ କରାଯାଇ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରୀକ୍ଷାର ସିଲାବସ୍‌ କିମ୍ବା ପରୀକ୍ଷା ପାଟର୍ନରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ପରୀକ୍ଷା ଆୟୋଜିତ ହେବ। ଏଥର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ, ସ୍ୱଚ୍ଛ ଓ ନିରପେକ୍ଷ ଢଙ୍ଗରେ ପରୀକ୍ଷା ପରିଚାଳନା କରିବାକୁ କମିଶନ ପ୍ରତିଶ୍ରୁତି ଦେଇଛି।

ଅନ୍ୟପଟେ, ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ନେଇ SI ଆଶାୟୀମାନଙ୍କ ଅସନ୍ତୋଷ ଜାରି ରହିଛି। ଆଜି ଭୁବନେଶ୍ୱରସ୍ଥିତ OUSSC କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ପ୍ରାୟ ତିନି ମାସ ଧରି କାର୍ଯ୍ୟାଳୟ ଚାଲୁଥିଲେ ମଧ୍ୟ ସେଠାରେ ନାମଫଳକ ନଥିବା ଅଭିଯୋଗ କରି ନିଜେ ଏକ ନାମଫଳକ ଲଗାଇଥିଲେ। ଏହାସହ କଳା ଫିତା କାଟି ପ୍ରତୀକାତ୍ମକ ଭାବେ କାର୍ଯ୍ୟାଳୟର ‘ଉଦ୍ଘାଟନ’ କରି କମିଶନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ।

ପ୍ରତିବାଦକାରୀ ଆଶାୟୀମାନେ ଦାବି କରିଛନ୍ତି ଯେ, ଆଉ ବିଳମ୍ବ ନକରି ଶୀଘ୍ର ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ ଭାବେ SI ନିଯୁକ୍ତି ପରୀକ୍ଷା ସମ୍ପନ୍ନ କରାଯାଉ, ଯାହାଦ୍ୱାରା ଦୀର୍ଘଦିନ ଧରି ଅପେକ୍ଷା କରୁଥିବା ଯୁବପିଢ଼ି ନ୍ୟାୟ ପାଇପାରିବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)