ଢେଙ୍କାନାଳରେ ଲଗାଣ ବର୍ଷାର ତାଣ୍ଡବ; ଗଂଦିଆରେ ରାସ୍ତା ଉପରେ ୪ ଫୁଟ ପାଣି, ୩ ଘଣ୍ଟା ଯାତାୟାତ ଠପ୍

ଅକ୍ଷର ବ୍ୟୁରୋ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହେବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି ଗଂଦିଆ ବ୍ଲକ୍‌ର କପିଳାସ–ଟାଙ୍ଗୀ ମୁଖ୍ୟ ରାସ୍ତାରେ, ଯେଉଁଠାରେ ବର୍ଷା ପରେ ରାସ୍ତା ଉପରେ ପ୍ରାୟ ୩ରୁ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା।

ପ୍ରବଳ ସ୍ରୋତ ଯୋଗୁଁ ପ୍ରାୟ ତିନି ଘଣ୍ଟା ଧରି ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଛୋଟ ଓ ବଡ଼ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ମଧ୍ୟ ଦୀର୍ଘ ସମୟ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ଉପରେ ପାଣିର ସୁଅ ଏତେ ତୀବ୍ର ଥିଲା ଯେ, କେହି ବି ରାସ୍ତା ପାର ହେବାକୁ ସାହସ କରିନଥିଲେ। ପରିସ୍ଥିତିକୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଅନାବଶ୍ୟକ ଯାତାୟାତ ନ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

ପ୍ରାୟ ତିନି ଘଣ୍ଟା ପରେ ପାଣିର ସ୍ରୋତ କମିବା ସହ ଧୀରେ ଧୀରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ତେବେ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ପୁଣି ଥରେ ଏଭଳି ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ନଥିଲେ ଜଳମଗ୍ନ ରାସ୍ତା ଦେଇ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)