ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଏହାର ପ୍ରଭାବରେ ଓଡ଼ିଶାରେ ଜାରି ରହିଥିବା ବର୍ଷାକୁ ନେଇ ବଢ଼ିଛି ଚିନ୍ତା। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ବିଶେଷକରି ଅଧିକ ବର୍ଷା ଆଶଙ୍କା ଥିବା ୫ ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କେନ୍ଦୁଝରରେ ପ୍ରବଳ ବର୍ଷା ପୂର୍ବାନୁମାନ ପରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏଥିସହ ଯୋଡ଼ା ବ୍ଲକରେ ହେବାକୁ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସାପ୍ତାହିକ ଅଭିଯୋଗ ଶୁଣାଣିକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।
ସେହିପରି ମୟୂରଭଞ୍ଜରେ ସୋମବାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ। ଅନ୍ୟପଟେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକ ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି। ଖରାପ ପାଣିପାଗ ସମୟରେ ନିଜ ଅଞ୍ଚଳରେ ସତର୍କ ରହିବା ସହ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଆଗକୁ ଆହୁରି ବର୍ଷା ହେଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଜମିବା ଏବଂ ଯାତାୟାତ ବ୍ୟାହତ ହେବାର ଆଶଙ୍କା ରହିଛି। ତେଣୁ ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି।












Leave a Reply