ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ, ଆଉ ଫେରିଲାନି ଜୀବନ

ଗଜପତି: ଜୀବିକା ପାଇଁ ଦାଦନ ଖଟିବାକୁ ଘରୁ ବାହାରିଥିଲେ। ହେଲେ ଆଉ ଫେରିଲାନି ଜୀବନ। ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଗଜପତି ଜିଲ୍ଲାର ଜଣେ ୧୯ ବର୍ଷୀୟ ଯୁବ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ହେଉଛନ୍ତି ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମୁନିସିଂ ଗ୍ରାମର ଚନ୍ଦ୍ର ଗମାଙ୍ଗ।

ସୂଚନା ଅନୁସାରେ, ଚନ୍ଦ୍ର ଜୀବିକା ଅର୍ଜନ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଛି। ମାତ୍ର ୧୯ ବର୍ଷ ବୟସରେ ଚନ୍ଦ୍ରଙ୍କ ଅକାଳ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାର ଭାଙ୍ଗିପଡ଼ିଛି। ମୁନିସିଂ ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ସବୁଠାରୁ ବଡ଼ ସମସ୍ୟା ହେଉଛି, ହାଇଦ୍ରାବାଦରୁ ଚନ୍ଦ୍ରଙ୍କ ମୃତଦେହକୁ ଗାଁକୁ ଆଣିବା ପାଇଁ ଆବଶ୍ୟକ ଅର୍ଥ ପରିବାର ନିକଟରେ ନାହିଁ। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଏଭଳି ପରିସ୍ଥିତିରେ ସେମାନେ ଅସହାୟ ହୋଇପଡ଼ିଛନ୍ତି।

ଚନ୍ଦ୍ରଙ୍କ ମୃତଦେହ ଶୀଘ୍ର ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଓ ଗ୍ରାମବାସୀ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି। ମୃତଦେହ ପରିବହନରେ ସହଯୋଗ କରିବା ସହ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଚନ୍ଦ୍ରଙ୍କ ମୃତ୍ୟୁ ପୁଣିଥରେ ଗଜପତିର ଗରିବ ପରିବାରର ଯୁବକମାନେ ରୋଜଗାର ଆଶାରେ ଦୂର ରାଜ୍ୟକୁ ଯାଇ କିପରି ବିଭିନ୍ନ ବିପଦର ସମ୍ମୁଖୀନ ହେଉଛନ୍ତି, ତାହା ସାମ୍ନାକୁ ଆଣିଛି। ଏବେ ଚନ୍ଦ୍ରଙ୍କ ପାର୍ଥିବ ଶରୀର ନିଜ ଗାଁକୁ ଫେରିବା ସହ ପରିବାରକୁ ସରକାରୀ ସହାୟତା ମିଳିବା ନେଇ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial