ଢେଙ୍କାନାଳରେ ହୃଦୟବିଦାରକ ଘଟଣା: ରାସ୍ତାକଡ଼ରେ ଜରି ବ୍ୟାଗ୍‌ରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ସହରରେ ସୋମବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସହରର ରାମେଶ୍ୱରପୁର ଓଭରବ୍ରିଜ୍ ନିକଟରୁ ଏକ ଜରି ବ୍ୟାଗ୍ ଭିତରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଆଜି ସକାଳେ ସ୍ଥାନୀୟ ଲୋକମାନେ ରାସ୍ତାକଡ଼ରେ ପଡ଼ିଥିବା ଏକ ସନ୍ଦେହଜନକ ଜରି ବ୍ୟାଗ୍ ଦେଖିଥିଲେ। ନିକଟକୁ ଯାଇ ଦେଖିବା ପରେ ସେଥିରେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଥିବା ଜଣାପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଢେଙ୍କାନାଳ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ଆମ୍ବୁଲାନ୍ସ ସହାୟତାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ପ୍ରାଥମିକ ତଦନ୍ତରୁ କେହି ଜାଣିଶୁଣି ନବଜାତ ଶିଶୁଟିକୁ ଜରି ବ୍ୟାଗ୍‌ରେ ଭରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଶିଶୁଟିର ମୃତ୍ୟୁ କିପରି ହେଲା ଏବଂ ଘଟଣା ପଛରେ କିଏ ରହିଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଢେଙ୍କାନାଳ ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial