ରାୟଗଡ଼ାରେ ୧୩ ଟିକିଆ ହାତୀପଲ, ଗାଁ ମୁହାଁ ହେଉଛନ୍ତି ହାତୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରେ ବଢ଼ିଛି ହାତୀ ଆତଙ୍କ। ଗତ ୧୧ ତାରିଖରୁ ଏକ ୧୩ ଟିକିଆ ହାତୀପଲ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଡେରା ପକାଇଥିବା ବେଳେ ଏବେ ହାତୀପଲର କିଛି ହାତୀ ଗାଁ ଓ ଜନବସତି ମୁହାଁ ହେଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ହାତୀପଲ ଚାଷ ଜମିରେ ପଶି ଅମଳ ଫସଲ ଖାଇବା ସହ ପାଦରେ ଦଳିଚକଟି କପା ସମେତ ବିଭିନ୍ନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ଧାମୁଣିପଙ୍ଗା ପଞ୍ଚାୟତ ଅଧୀନ ଗୁଣ୍ଡରୀଗୁଡ଼ା ଗାଁ ମୁଣ୍ଡରେ ହାତୀପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖାଦ୍ୟ ସନ୍ଧାନରେ ଗତ ୧୧ ତାରିଖରୁ ୧୩ ଟିକିଆ ହାତୀପଲ ସିଙ୍ଗାରି ପଞ୍ଚାୟତର ପାଳଖମଣ, ଟିକ୍ରାପଡ଼ା, ପାଦ୍ରୁଲଗୁଡ଼ା ଓ ଟିଡିମସ୍କା ନିକଟ ଜଙ୍ଗଲରେ ରହିଥିବା କୁହାଯାଉଛି।

ଜଙ୍ଗଲରୁ ବାହାରି ହାତୀମାନେ ଚାଷ ଜମିକୁ ପଶି ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଦୀର୍ଘ ଦିନ ଧରି ଅଞ୍ଚଳରେ ହାତୀପଲ ରହିଥିବାରୁ ଅନେକ ଗ୍ରାମବାସୀ ହାତୀ ଭୟରେ ଚାଷ ଜମିକୁ ଯିବାକୁ ମଧ୍ୟ ଭୟ କରୁଛନ୍ତି। ଏହି ମଧ୍ୟରେ ଆଜି ସକାଳୁ ଖାଦ୍ୟ ସନ୍ଧାନରେ ହାତୀପଲର ଦୁଇଟି ହାତୀ କରଞ୍ଜା ଗାଁ ଆଦିବାସୀ ସାହି ମୁଣ୍ଡରେ ଥିବା କଦଳୀ ବାଡ଼ିରେ ଡେରା ପକାଇଛନ୍ତି। ହାତୀ ଗାଁ ନିକଟକୁ ଆସିଥିବା ଖବର ପାଇ ବନ ବିଭାଗର ଫରେଷ୍ଟର ଭଗବାନ ସାରକା, ବରଖାରାଣୀ ପାତ୍ରଙ୍କ ସମେତ ଗାର୍ଡ ଦଳ ଓ ପାରା ଗାର୍ଡମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ବନ ବିଭାଗ କର୍ମଚାରୀମାନେ ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହ ସେମାନଙ୍କୁ ଜନବସତି ଅଞ୍ଚଳରୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ହାତୀଙ୍କୁ ଘଉଡ଼ାଇବା ପାଇଁ ବାଣ ସହ ଟିଅର୍‌ ଗ୍ୟାସ୍‌ ମଧ୍ୟ ବ୍ୟବହାର କରାଯାଇଛି। ତଥାପି ଦୁଇ ହାତୀ ସେଠାରୁ ନଘୁଞ୍ଚି ଗାତ ମଧ୍ୟରେ ରହିଥିବା ଜଣାପଡ଼ିଛି। ଅଞ୍ଚଳରେ ହାତୀପଲର ଗତିବିଧି ଜାରି ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ହାତୀପଲକୁ ସୁରକ୍ଷିତ ଭାବେ ଜନବସତିଠାରୁ ଦୂରେ ଘଉଡ଼ାଇବା ସହ ଫସଲ କ୍ଷୟକ୍ଷତି ନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial