ହୀରାକୁଦରୁ ବନ୍ୟାଜଳ ପୂର୍ବରୁ କଟକରେ ହାଇ ଆଲର୍ଟ; ମହାନଦୀକୁ ଓହ୍ଲାଇବା ମନା, ସେଲ୍ଫି-ଭିଡିଓ ସୁଟିଂ ଉପରେ କଟକଣା

ଅକ୍ଷର ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରରୁ ଆଜି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବାକୁ ଥିବାବେଳେ କଟକ ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ଜାରି କରିଛି। ମହାନଦୀରେ ଜଳପ୍ରବାହ ବୃଦ୍ଧି ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ସ୍ଥାନୀୟ ବନ୍ୟା ସ୍ଥିତିର ଆଶଙ୍କାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ–୨୦୦୫ର ଧାରା–୩୪ ବଳରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏକ ନୂଆ ପ୍ରତିବନ୍ଧକମୂଳକ ଆଦେଶ ଜାରି କରିଛନ୍ତି। ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ବାତିଲ କରାଯାଇ ତୁରନ୍ତ କାର୍ଯ୍ୟକାରୀ ହେବା ପାଇଁ ନୂଆ ଗାଇଡ୍‌ଲାଇନ୍ ଲାଗୁ କରାଯାଇଛି।

ନୂଆ ନିର୍ଦ୍ଦେଶ ଅନୁଯାୟୀ ମହାନଦୀକୁ ଓହ୍ଲାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନଦୀକୂଳରେ ସେଲ୍ଫି ନେବା, ଭିଡିଓ ସୁଟିଂ କରିବା ଏବଂ ଅନାବଶ୍ୟକ ଭିଡ଼ ଜମାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହାସହ ସମସ୍ତ ବାଲିଘାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ବନ୍ୟାଜଳ ବୃଦ୍ଧି ସମୟରେ କୌଣସି ଅଘଟଣ ନଘଟେ।ହୀରାକୁଦରୁ ପାଣି ଛଡ଼ାଯିବା ପରେ ମହାନଦୀରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମହାନଦୀ ଅବବାହିକାର ସମସ୍ତ ତଳିଆ ଅଞ୍ଚଳକୁ ସତର୍କ ରହିବାକୁ ପ୍ରଶାସନ ଅନୁରୋଧ କରିଛି। ବିଶେଷକରି ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ଅନାବଶ୍ୟକ ଭାବେ ନଦୀ ନିକଟକୁ ନଯିବା ଏବଂ ପ୍ରଶାସନର ପରାମର୍ଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ପ୍ରଶାସନିକ ଟିମ୍‌କୁ ସଜାଗ ରଖାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରହିଛି। ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପରେ କଟକ ସମେତ ମହାନଦୀ କୂଳବର୍ତ୍ତୀ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ୨୪ ଘଣ୍ଟିଆ ନଜର ରଖିଥିବାବେଳେ, ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ପୁଣିଥରେ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)