ଭୁବନେଶ୍ୱର: ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ପେପର ପ୍ରଦାନ କରାଯିବା ଦିନ ହିଁ ଚାର୍ଜଫ୍ରେମ କରିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୨୬୨(୧)ର ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଅଭିଯୁକ୍ତଙ୍କୁ ପୁଲିସ ପେପର ଯୋଗାଇ ଦେବା ପରେ ଡିସଚାର୍ଜ ଆବେଦନ ଦାଖଲ ପାଇଁ ‘ଯୁକ୍ତିଯୁକ୍ତ ସମୟ’ ଦେବା ପରେ ହିଁ ଚାର୍ଜଫ୍ରେମ ପ୍ରକ୍ରିୟା କରାଯିବା ଉଚିତ ବୋଲି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପ୍ରଶାସନିକ ସୁବିଧା ଦୃଷ୍ଟିରୁ ପୁଲିସ ପେପର ପ୍ରଦାନ ଓ ମାମଲାରେ ଚାର୍ଜଫ୍ରେମକୁ ଏକାଠି ଗୋଟିଏ ଦିନରେ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। BNSSର ଧାରା ୨୩୦ ଅନୁଯାୟୀ ପୁଲିସ ପେପର ଯୋଗାଇ ଦେବା ପରେ ଅଭିଯୁକ୍ତଙ୍କୁ ଡିସଚାର୍ଜ ଆବେଦନ ପାଇଁ ଆବଶ୍ୟକ ସମୟ ଦେବା ଦରକାର ବୋଲି କୋର୍ଟ କହିଛନ୍ତି।
ତେବେ ଧାରା ୨୬୨(୧) ଅଧୀନରେ ଡିସଚାର୍ଜ ଆବେଦନ ଦାଖଲ ପାଇଁ ଉଲ୍ଲେଖ ଥିବା ୬୦ ଦିନର ସମୟସୀମା ବାଧ୍ୟତାମୂଳକ ନୁହେଁ ବୋଲି ମଧ୍ୟ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅର୍ଥାତ୍ ପୁଲିସ ପେପର ପ୍ରଦାନ ଓ ଚାର୍ଜଫ୍ରେମ ମଧ୍ୟରେ ନିର୍ଦ୍ଦିଷ୍ଟ ୬୦ ଦିନର ଅବଧି ରଖିବା ଆବଶ୍ୟକ ନୁହେଁ, କିନ୍ତୁ ଅଭିଯୁକ୍ତଙ୍କୁ ଡିସଚାର୍ଜ ଆବେଦନ ପାଇଁ ‘ଯୁକ୍ତିଯୁକ୍ତ ସମୟ’ ମିଳିବା ଆବଶ୍ୟକ। ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ଟ୍ରାଏଲ ଅଦାଲତ ସାବଧାନତା ଅବଲମ୍ବନ କରିବାକୁ ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେଶ କୁମାର ମହାପାତ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଚନ୍ଦକା ଥାନାରେ ରୁଜୁ ଏକ ମାମଲାରେ ପୁଲିସ ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଭୁବନେଶ୍ୱର ଜେଏମଏଫସି ଅଦାଲତ ମାମଲାରେ କଗନିଜାନ୍ସ ଗ୍ରହଣ କରିଥିଲେ। ୨୦୨୬ ଫେବ୍ରୁଆରି ୧୮ ତାରିଖରେ ଆବେଦନକାରୀଙ୍କୁ ପ୍ରଥମେ ପୁଲିସ ପେପର ପ୍ରଦାନ କରାଯାଇଥିଲା ଏବଂ ସେହିଦିନ ହିଁ ମାମଲାରେ ଚାର୍ଜଫ୍ରେମ କରାଯାଇଥିଲା। ପୁଲିସ ପେପର ମିଳିବା ପରେ ଅଭିଯୁକ୍ତଙ୍କୁ ୬୦ ଦିନ ମଧ୍ୟରେ ଡିସଚାର୍ଜ ପାଇଁ ଆବେଦନ କରିବାର ଆଇନଗତ ବ୍ୟବସ୍ଥା ଥିବା ବେଳେ, ସେହି ଦିନ ହିଁ ଚାର୍ଜଫ୍ରେମ କରାଯିବା ଦ୍ୱାରା ତାଙ୍କ ଆଇନଗତ ଅଧିକାର କ୍ଷୁଣ୍ଣ ହୋଇଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ ହୋଇଥିଲା। ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ଅଭିଯୁକ୍ତଙ୍କ ଅଧିକାର ସୁରକ୍ଷା ସହ ଟ୍ରାଏଲ ପ୍ରକ୍ରିୟାରେ ଯଥୋଚିତ ସମୟ ବ୍ୟବଧାନ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି।














Leave a Reply