ଅକ୍ଷର ବ୍ୟୁରୋ: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆଞ୍ଚଳିକ ବିକାଶକୁ ନେଇ ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ୧୫ତମ ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ। ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ (DGP) ଯୋଗଦେବେ। ଏହା ସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ସାମିଲ ହେବେ।
ବୈଠକରେ ଓଡ଼ିଶାର ମୁଖ୍ୟ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିବେ। ଏହି ବୈଠକକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ୮୭ ଜଣ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ବୈଠକରେ ପରବର୍ତ୍ତୀ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ ବୈଠକର ଏଜେଣ୍ଡା ଚୂଡ଼ାନ୍ତ କରାଯିବା ସହ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ଅଗ୍ରଗତି ଉପରେ ସମୀକ୍ଷା କରାଯିବ।
ଏଥର ବୈଠକରେ ଓଡ଼ିଶା–ଝାଡ଼ଖଣ୍ଡ ସୀମାରେ ମାଓବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ମୂଳପୋଛ, ଆନ୍ତଃରାଜ୍ୟ ସୁରକ୍ଷା ସମନ୍ୱୟ ଏବଂ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ଜାତୀୟ ନାର୍କୋଟିକ୍ସ ସମନ୍ୱୟ ପୋର୍ଟାଲ୍ (NCORD)ର ଅଧିକ ପ୍ରଭାବୀ ବ୍ୟବହାର ଉପରେ ବିଶେଷ ଆଲୋଚନା ହେବ। ଆଇନଶୃଙ୍ଖଳା ଓ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧିକୁ ପ୍ରାଥମିକତା ଦିଆଯିବ।
ଏହା ବ୍ୟତୀତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଓ ବ୍ୟାଙ୍କିଙ୍ଗ ସେବାର ସୁଧାର ପାଇଁ ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେବ। ପ୍ରତି ୫ କିଲୋମିଟର ପରିଧି ମଧ୍ୟରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଓ ଡାକଘର ସ୍ଥାପନ ପାଇଁ ପ୍ରସ୍ତାବିତ ଯୋଜନାର ସମୀକ୍ଷା କରାଯିବ। ସେହିପରି ରାଜ୍ୟଗୁଡ଼ିକ ମଧ୍ୟରେ ରହିଥିବା ସୀମା ବିବାଦ ଏବଂ ଏହାର ସମାଧାନ ପାଇଁ ଆନ୍ତଃରାଜ୍ୟ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଚାରବିମର୍ଶ ହେବ। ପୂର୍ବାଞ୍ଚଳର ଚାରି ପ୍ରମୁଖ ରାଜ୍ୟର ଶୀର୍ଷ ପ୍ରଶାସନିକ ଅଧିକାରୀମାନଙ୍କ ଏହି ବୈଠକକୁ ଆଞ୍ଚଳିକ ସୁରକ୍ଷା, ପ୍ରଶାସନିକ ସମନ୍ୱୟ ଏବଂ ବିକାଶମୂଳକ ପଦକ୍ଷେପକୁ ଆହୁରି ଗତିଶୀଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।














Leave a Reply