ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବା ଉଦ୍ଦେଶ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରଥଯାତ୍ରା ପରିଚାଳନା ସହ ଜଡ଼ିତ ସମସ୍ତ ବିଭାଗର ପ୍ରସ୍ତୁତି ଓ ବ୍ୟବସ୍ଥାର ସବିଶେଷ ସମୀକ୍ଷା କରାଯିବ। ପୂର୍ବାହ୍ନ ୧୦ଟା ୧୫ ମିନିଟ୍ରେ ବୈଠକ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ ସୂଚନା ଦେଇଛନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ସୁଚାରୁ, ଶୃଙ୍ଖଳିତ ଓ ନିର୍ବିଘ୍ନ ଭାବେ ସମ୍ପନ୍ନ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯିବ।
ଏହାସହ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସେବା ଓ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତୁତିର ସମୀକ୍ଷା କରାଯିବ। ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଭିଡ଼ ପରିଚାଳନା, ଆପାତକାଳୀନ ଉଦ୍ଧାର ବ୍ୟବସ୍ଥା, ମୌଳିକ ସୁବିଧାର ଉପଲବ୍ଧତା ଓ ବିଭିନ୍ନ ସମନ୍ୱୟମୂଳକ ପଦକ୍ଷେପ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହେବ। ରଥଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଭକ୍ତମୈତ୍ରୀ କରିବା ପାଇଁ ପ୍ରତ୍ୟେକ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି।
ଏହି ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ, ପରିବହନ, ପୂର୍ତ୍ତ, ପାନୀୟ ଜଳ, ବିଦ୍ୟୁତ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବେ। ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
















Leave a Reply