ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟର ନିର୍ଦ୍ଦେଶ ।

ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସ୍କୁଲରେ ୨୦୨୫, ଅଗଷ୍ଟ ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ (ପିଟିଆର) ସଂପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି । କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛ ।  

ସେ ନେଇ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀତାକାନ୍ତ ସାମଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ, ବହୁ ସମୟରେ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଉଛି । 

ଏଥି ସହିତ ବଦଳି ଗାଇଡଲାଇନ ଅନୁସାରେ ଶିକ୍ଷକଙ୍କ ଗୋଟିଏ ସ୍କୁଲରେ ଅବଧି ପୂରଣ ହେବା ପୂର୍ବରୁ ଅନ୍ୟତ୍ର ବଦଳି କରାଯାଉଛି । ଏଭଳି ସ୍ଥିତିରେ ବହୁ ସ୍କୁଲରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ବଜାୟ ରଖାଯାଇ ପାରୁନାହିଁ । ଏହା ଦ୍ୱାରା ଶିକ୍ଷାଦାନର ମାନ ପ୍ରଭାବିତ ହେଉଛି । କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ଧାର୍ଯ୍ୟ କରାଯାଇଛି । ବଢୁଥିବା ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଗଣାତ୍ମକ ଶିକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭର କରୁଛି । ପ୍ରସିଦ୍ଧ ପୁସ୍ତକ ‘ଗୋଲ୍ଡେନ୍ ଅପର୍‌ଚୁନିଟି’ ରେ ଏହି ପ୍ରସଂଗରେ ଆଲୋଚନା କରାଯାଇଛି ।  ଶିକ୍ଷା ଅଧିକାର ସମ୍ବିଧାନର ଧାରା ୨୧ର ଅଂଶବି‌ଶେଷ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି । ଏଭଳି ସ୍ଥିତିରେ ପ୍ରଶାସନରେ ଏଭଳି ଅଭାବକୁ କୋର୍ଟ ଜାଣି ଶୁଣି ଅଣଦେଖା କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)