ବଡ଼ମ୍ବା ପାଇଁ ଐତିହାସିକ ଦିନ; ଜୁଲାଇ ୫ରେ ଅମିତ ଶାହଙ୍କ ହାତରେ ଚିନିକଳ ଓ ହାଡୁଆ ଜଳସେଚନ ପ୍ରକଳ୍ପର ଲୋକାର୍ପଣ

ଅକ୍ଷର ବ୍ୟୁରୋ: ବଡ଼ମ୍ବା ଅଞ୍ଚଳର ବିକାଶରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଐତିହାସିକ ଅଧ୍ୟାୟ। ଆସନ୍ତା ଜୁଲାଇ ୫ ତାରିଖରେ ବଡ଼ମ୍ବାର ସୁନାପାଳଠାରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ବହୁ ପ୍ରତୀକ୍ଷିତ ବଡ଼ମ୍ବା ଚିନିକଳ ଏବଂ ହାଡୁଆ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ଦୁଇଟି ପ୍ରକଳ୍ପ ସ୍ଥାନୀୟ ଶିଳ୍ପ, କୃଷି ଓ ରୋଜଗାର କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଗତ ବିଧାନସଭା ନିର୍ବାଚନ ସମୟରେ ଅମିତ ଶାହ ବଡ଼ମ୍ବା ଚିନିକଳକୁ ପୁନର୍ବାର ଚାଲୁ କରିବାର ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ମଧ୍ୟ ନିଜ ନିର୍ବାଚନୀ ଇସ୍ତାହାରରେ ଚିନିକଳ ଖୋଲିବାକୁ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନ ସେହି ପ୍ରତିଶ୍ରୁତି ବାସ୍ତବ ରୂପ ନେବାକୁ ଯାଉଛି।

କିଛି ମାସ ପୂର୍ବରୁ ଅମିତ ଶାହଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ (IPL) ମଧ୍ୟରେ ୩୫୨ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତିଦିନ ୩୫୦ ମେଟ୍ରିକ୍ ଟନ୍ ଚିନି ଉତ୍ପାଦନ କରାଯିବ। ଏହାସହ ଚିନିକଳ ପରିସରରେ ଇଥାନଲ୍ ପ୍ଲାଣ୍ଟ, ବାୟୋ-ସିଏନ୍‌ଜି ୟୁନିଟ୍, ସ୍ପିରିଟ୍ ଉତ୍ପାଦନ କେନ୍ଦ୍ର, କୋଲ୍ଡ ଷ୍ଟୋରେଜ୍ ଏବଂ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବାର ଯୋଜନା ରହିଛି। ଏହି ଶିଳ୍ପ ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଭାବେ ପ୍ରାୟ ୬୦୦ ଜଣ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳିବା ସହ ଆଖୁ ଚାଷୀମାନଙ୍କ ପାଇଁ ମଧ୍ୟ ନୂଆ ରୋଜଗାର ଓ ଆୟର ସୁଯୋଗ ସୃଷ୍ଟି ହେବ।

ଅନ୍ୟପଟେ, ବହୁ ବର୍ଷ ଧରି ନିର୍ମାଣାଧୀନ ଥିବା ହାଡୁଆ ଜଳସେଚନ ପ୍ରକଳ୍ପ ମଧ୍ୟ ଜୁଲାଇ ୫ରେ ଲୋକାର୍ପିତ ହେବ। ଏହି ପ୍ରକଳ୍ପରେ ଡ୍ୟାମ ନିର୍ମାଣ ପାଇଁ ପ୍ରାୟ ୨୬୫ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ, ଜଳସେଚନ ବ୍ୟବସ୍ଥା ପାଇଁ ଆଉ ପ୍ରାୟ ୧୯୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଅର୍ଥାତ୍ ସମୁଦାୟ ପ୍ରକଳ୍ପର ମୂଲ୍ୟ ପ୍ରାୟ ୪୬୧ କୋଟି ଟଙ୍କା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳର କୃଷି କ୍ଷେତ୍ରକୁ ବଡ଼ ଶକ୍ତି ମିଳିବ। ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହ ୨୯୩ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯିବ। ଏହାଛଡ଼ା ଡ୍ୟାମ ପରିସରରେ ୧ ମେଗାୱାଟ୍ କ୍ଷମତା ବିଶିଷ୍ଟ ହାଇଡ୍ରୋ ପାୱାର ପ୍ରକଳ୍ପ ସ୍ଥାପନ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।

ବଡ଼ମ୍ବାର ଏହି ଦୁଇ ମେଗା ପ୍ରକଳ୍ପ କେବଳ ଶିଳ୍ପ ଓ କୃଷି କ୍ଷେତ୍ରକୁ ନୂଆ ଦିଗ ଦେବ ନାହିଁ, ବରଂ ରୋଜଗାର, ପାନୀୟ ଜଳ, ଶକ୍ତି ଉତ୍ପାଦନ ଓ ଆଞ୍ଚଳିକ ବିକାଶରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)