ଓଡ଼ିଶାକୁ ଐତିହାସିକ ବିଦେଶୀ ପୁଞ୍ଜିନିବେଶ; ୧.୦୧ ଲକ୍ଷ କୋଟିର ଏମଓୟୁ ସ୍ୱାକ୍ଷର, ସୃଷ୍ଟି ହେବ ୫୩,୫୦୦ ନିଯୁକ୍ତି

ଅକ୍ଷର ବ୍ୟୁରୋ: ଓଡ଼ିଶାର ଶିଳ୍ପ ଓ ଖଣି କ୍ଷେତ୍ର ପାଇଁ ଆସିଛି ଏକ ଐତିହାସିକ ଖବର। ରାଜ୍ୟରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ ପାଇଁ ଆଜି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିବାବେଳେ, ଏହାକୁ ରାଜ୍ୟରେ ଦେଶର ସର୍ବବୃହତ ବିଦେଶୀ ପୁଞ୍ଜିନିବେଶ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।

ଶିଳ୍ପ ବିଭାଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ର ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ପୁଞ୍ଜିନିବେଶ ମୁଖ୍ୟତଃ ଓଡ଼ିଶାର ଖଣି ଏବଂ ଖଣିଜ ଭିତ୍ତିକ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ବ୍ୟବହୃତ ହେବ। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କରଣ ଆଦାନୀ ପ୍ରମୁଖ ଉପସ୍ଥିତ ଥିଲେ।

ସରକାରଙ୍କ ଆକଳନ ଅନୁଯାୟୀ, ୧.୦୧ ଲକ୍ଷ କୋଟି ଟଙ୍କାର ଏହି ପୁଞ୍ଜିନିବେଶ ଫଳରେ ରାଜ୍ୟରେ ପ୍ରାୟ ୫୩ ହଜାର ୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଯୁବବର୍ଗଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବା ସହ ରାଜ୍ୟର ଶିଳ୍ପାୟନକୁ ମଧ୍ୟ ଅଧିକ ଗତିଶୀଳ କରିବ। ଏହି ଚୁକ୍ତି ସହିତ ‘ଉତ୍କର୍ଷ ଓଡ଼ିଶା’ ମାଧ୍ୟମରେ ଅଧିକ ପୁଞ୍ଜିନିବେଶ ଆକର୍ଷିତ କରିବାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ବଡ଼ ସଫଳତା ମିଳିଛି। ବିଶେଷଜ୍ଞଙ୍କ ମତରେ, ଏହି ବିଶାଳ ନିବେଶ କେବଳ ଖଣି କ୍ଷେତ୍ରକୁ ନୁହେଁ, ବରଂ ଭିତ୍ତିଭୂମି ବିକାଶ, ସହାୟକ ଶିଳ୍ପ, ପରିବହନ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ନୂଆ ଗତି ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)