ଅକ୍ଷର ବ୍ୟୁରୋ: ଆଜି ଓଡ଼ିଶା ମାଟି ସାକ୍ଷୀ ହୋଇଛି ଏକ ବିରଳ ଓ ଐତିହାସିକ ମୁହୂର୍ତ୍ତର। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୋଦୀଙ୍କ ଏହି ଗସ୍ତ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।
ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ପାହାଡ଼ପୁରରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଦେଶର ସର୍ବୋଚ୍ଚ ଦୁଇ ସାମ୍ବିଧାନିକ ପଦବୀର ଅଧିକାରୀ ଏକାଠି ମୟୂରଭଞ୍ଜର ଏକ ଆଦିବାସୀ ଗ୍ରାମରେ ଉପସ୍ଥିତ ହେବା ଏକ ଐତିହାସିକ ଘଟଣା ଭାବେ ଦେଖାଯାଉଛି। ରାଷ୍ଟ୍ରପତିଙ୍କ ଜନ୍ମଦିନକୁ କେନ୍ଦ୍ର କରି ପାହାଡ଼ପୁର ଓ ସମଗ୍ର ମୟୂରଭଞ୍ଜ ଉତ୍ସବମୁଖର ହୋଇଉଠିଛି।
ଜନ୍ମଦିନ ଅବସରରେ ସକାଳୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ ଯେ, ଦ୍ରୌପଦୀ ମୁର୍ମୁଙ୍କ ଜୀବନଯାତ୍ରା ସାହସ, ସରଳତା, ନମ୍ରତା ଏବଂ ଜନସେବା ପ୍ରତି ଅଟଳ ସମର୍ପଣର ଏକ ଅନନ୍ୟ ଉଦାହରଣ। ସେ କହିଥିଲେ ଯେ, ସାଧାରଣ ପରିବାରରୁ ଦେଶର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଲକ୍ଷ ଲକ୍ଷ ଭାରତବାସୀଙ୍କୁ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତିଙ୍କ ଦୀର୍ଘ ସାର୍ବଜନୀନ ଜୀବନ ଓ ବିଶେଷ କରି ଆଦିବାସୀ, ବଞ୍ଚିତ ଏବଂ ଅବହେଳିତ ସମାଜର ଉନ୍ନତି ପାଇଁ ତାଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଛନ୍ତି |ଭାରତର ବିକାଶ, ସାମାଜିକ ନ୍ୟାୟ ଓ ସମାବେଶୀ ଅଗ୍ରଗତି ପ୍ରତି ତାଙ୍କ ସମର୍ପଣ ଦେଶ ପାଇଁ ପ୍ରେରଣାଦାୟକ ବୋଲି ମୋଦୀ କହିଛନ୍ତି।
ଆଜିର ଦିନ କେବଳ ରାଷ୍ଟ୍ରପତିଙ୍କ ଜନ୍ମଦିନ ନୁହେଁ, ବରଂ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ଅବସର। ଜଣେ ଆଦିବାସୀ ପରିବାରରୁ ଦେଶର ପ୍ରଥମ ନାଗରିକ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସଂଘର୍ଷ ଓ ସଫଳତାର ଏହି କାହାଣୀ ଆଜି ସମଗ୍ର ଦେଶ ପାଇଁ ପ୍ରେରଣା। ତାଙ୍କ ଜନ୍ମଭୂମିରେ ଜନ୍ମଦିନ ପାଳନ ଏବଂ ସେହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଏହି ଦିନକୁ ଆହୁରି ସ୍ମରଣୀୟ ଓ ଐତିହାସିକ କରିଦେଇଛି।











Leave a Reply