ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜମାଳପୁର ବାଇପାସ ନିକଟରେ ଏକ ଦ୍ରୁତଗାମୀ କଣ୍ଟେନର ଆଗରେ ଯାଉଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ କଣ୍ଟେନରର ଡ୍ରାଇଭର କ୍ୟାବିନ୍ ଭିତରେ ଚାପି ହୋଇ ରହିଯାଇଥିଲେ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ କଟର ସାହାଯ୍ୟରେ କ୍ୟାବିନ୍ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧୧ଟା ବେଳେ କଣ୍ଟେନରଟି ଓଡ଼ିଶାରୁ ପଶ୍ଚିମବଙ୍ଗ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲା। ଜମାଳପୁର ବାଇପାସ ନିକଟରେ ହଠାତ୍ ଆଗରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ କଣ୍ଟେନରର କ୍ୟାବିନ୍ ଭିତରେ ଡ୍ରାଇଭର ଚାପି ହୋଇଯାଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଓ ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିବା ପରେ କଟର ସାହାଯ୍ୟରେ କ୍ୟାବିନ୍କୁ କାଟି ଡ୍ରାଇଭରଙ୍କୁ ବାହାର କରାଯାଇଥିଲା। ଦୁର୍ଘଟଣାରେ ଡ୍ରାଇଭରଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟିଯାଇଥିବା ଜଣାପଡ଼ିଛି। ଗୁରୁତର ଆହତ ଡ୍ରାଇଭରଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଜଳେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ଡ୍ରାଇଭର ନାଗାଲାଣ୍ଡ ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ଅନ୍ୟପକ୍ଷରେ, ଜଳେଶ୍ୱର ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।














Leave a Reply