ଅକ୍ଷର ବ୍ୟୁରୋ: ଓଡ଼ିଶା ଇତିହାସରେ ଆଜି ଯୋଡ଼ା ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ନିଜ ଶ୍ୱଶୁରଘର ଗାଁ ପାହାଡ଼ପୁରରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ତାଙ୍କ ୬୮ତମ ଜନ୍ମଦିନ ଅବସରରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଠି ମୟୂରଭଞ୍ଜର ଏହି ଦୁର୍ଗମ ଆଦିବାସୀ ଗ୍ରାମକୁ ଗସ୍ତ କରିବେ ।ଏହି ଐତିହାସିକ ଘଟଣା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ସୃଷ୍ଟି କରିଛି।
୧୯୫୮ ମସିହା ଜୁନ୍ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜର ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ସେ ନିଜ ଜନ୍ମମାଟି ଓ ଶ୍ୱଶୁରଘର ଗ୍ରାମ ସହ ନିଜର ଭାବନାତ୍ମକ ସମ୍ପର୍କକୁ ଆହୁରି ଦୃଢ଼ କରିଛନ୍ତି। ପାହାଡ଼ପୁର, ଯାହା ତାଙ୍କ ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ଜନ୍ମଭୂମି, ଆଜି ଜାତୀୟ ସ୍ତରର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଗସ୍ତ କାଳରେ ରାଷ୍ଟ୍ରପତି ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଉଭୟ ନେତାଙ୍କ ଏହି ଗସ୍ତ ଆଦିବାସୀ ସମାଜର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପରମ୍ପରା ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନକୁ ପ୍ରତିଫଳିତ କରିଛି।

ପାହାଡ଼ପୁର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର (ସ୍କିଲ୍ ସେଣ୍ଟର) ଏବଂ ସ୍କୁଲ୍କୁ ମଧ୍ୟ ଉଭୟ ନେତା ପରିଦର୍ଶନ କରିଛନ୍ତି। ପ୍ରଶିକ୍ଷଣ ପାଇ ଚାକିରି ପାଇଥିବା ଯୁବକ-ଯୁବତୀଙ୍କ ସହ ଆଲୋଚନା କରି ସେମାନଙ୍କ ଅନୁଭବ ଶୁଣିଛନ୍ତି। ଏହି ଗସ୍ତ ମାଧ୍ୟମରେ ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷା, କୌଶଳ ବିକାଶ ଏବଂ ସ୍ୱାବଲମ୍ବନକୁ ଗୁରୁତ୍ୱ ଦିଆଯାଉଥିବା ବାର୍ତ୍ତା ଦିଆଯାଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସରକାରୀ ଯୋଜନାର ହିତାଧିକାରୀ, ସ୍ଥାନୀୟ ଶିଶୁ ଓ ଗ୍ରାମବାସୀଙ୍କ ସହ ସିଧାସଳଖ ଭାବବିନିମୟ କରିବା ସହ ସେମାନଙ୍କ ସମସ୍ୟା ଓ ସଫଳତାର କାହାଣୀ ଶୁଣିବେ। ଏହା ସହ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପରେ ଆଧାରିତ ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିବେ।

ଗସ୍ତର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଦାଣ୍ଡବୋଷରେ ଆୟୋଜିତ ବିଶାଳ ସାଧାରଣ ସଭା। ଏଠାରେ ଗୋଟିଏ ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ଏବଂ ମୟୂରଭଞ୍ଜ ପାଇଁ ୫୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୪୦ଟି ବୃହତ୍ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ରେଳ, ଶିଳ୍ପ, ପାଇପାରିବା ଭିତ୍ତିଭୂମି, ଶିକ୍ଷା ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟର ଅଗ୍ରଗତିକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
ରାଷ୍ଟ୍ରପତିଙ୍କ ଜନ୍ମଦିନ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମଗ୍ର ରାଇରଙ୍ଗପୁର ଓ ମୟୂରଭଞ୍ଜ ଉତ୍ସବମୁଖର ହୋଇଉଠିଛି। ପାହାଡ଼ପୁର ଗ୍ରାମକୁ ପାରମ୍ପରିକ ଆଦିବାସୀ ଚିତ୍ରକଳା, ଫୁଲ ଓ ସ୍ୱାଗତ ତୋରଣରେ ସଜାଯାଇଛି। ଦୁଇ ଶୀର୍ଷ ନେତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ, କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁପ୍ତଚର ସଂସ୍ଥାମାନେ ସମଗ୍ର ଅଞ୍ଚଳରେ ମୁତୟନ ହୋଇଛନ୍ତି।













Leave a Reply